ସୌତାନ ସାଜିଲା ସ୍ବାମୀ । ତାଓ୍ବାରେ ପିଟି ପିଟିର ସ୍ତ୍ରୀର ଜୀବନ ନେଇଗଲା ଜହ୍ଲାଦ ସ୍ବାମୀ । ଏଭଳି ଘଟଣା ରାଜଧାନୀର ନୟାପଲ୍ଲୀ ବ୍ରିଟ୍ କଲୋନୀରେ ଚାଞ୍ଚଲ୍ୟ ଖେଳାଇଦେଇଛି । ରୋଷେଇ ଘର ତାୱା ପାଲଟିଲା ମାରଣାସ୍ତ୍ର । ନିଜ ସ୍ତ୍ରୀ ବନସ୍ନିତା ସ୍ୱାଇଁଙ୍କ ମୁଣ୍ଡକୁ ତାୱାରେ ବାଡେଇ ବାଡେଇ ହତ୍ୟା କରିଛି ଅଭିଯୁକ୍ତ ସ୍ୱାମୀ ସର୍ବେଶ୍ୱର ପ୍ରଧାନ । ସୂଚନା ମୁତାବକ ଗତ କାଲି ରାତି ପ୍ରାୟ ୭ ଟା ସମୟରେ ସର୍ବେଶ୍ୱର ସ୍ତ୍ରୀ ବନିସ୍ମିତାଙ୍କ ମଧ୍ୟରେ ବଚସା ହୋଇଥିଲେ। ଏହାପରେ ସର୍ବେଶ୍ଵର ନିଜ ସାନ ଭଉଣୀକୁ ପାଣି ସୁଇଚ ବନ୍ଦ କରିବା କୁ ବାହାର ରୁମ୍ କୁ ପଠାଇ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ। ଏହାପରେ ବନିଶ୍ମିତାଙ୍କୁ ତାୱାରେ ପିଟି ପିଟି ହତ୍ୟା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ଘର ଭିତରୁ ବନ୍ଦ ଥିବାରୁ ପୋଲିସକୁ ଗ୍ରିଲ୍ ଭାଙ୍ଗି ଭିତରେ ପଶିବାକୁ ପଡିଥିଲା । ପରେ ରକ୍ତାକ୍ତ ଅବସ୍ଥାରେ ବନସ୍ନିତାଙ୍କ ଶବ ଜବତ କରିବା ସହ ଅଭିଯୁକ୍ତ ସର୍ବେଶ୍ୱରଙ୍କୁ କାବୁ କରିଛି ପୋଲିସ । ମାତ୍ର ଦେଢ଼ ବର୍ଷ ତଳେ ପରସ୍ପରର ହାତ ଧରିଥିଲେ ସର୍ବେଶ୍ୱର ଓ ବନସ୍ନିତା । ଉଭୟଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ ।
ଘଟଣାସ୍ଥଳରେ ଜୋନ୍-୫ ଏସିପି, ଥାନା ଅଧିକାରୀ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ସର୍ବେଶ୍ୱରଙ୍କ ବାପାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ତାଙ୍କ କହିବା ଅନୁଯାୟୀ, ସର୍ବେଶ୍ୱରଙ୍କ ମାନସିକ ସ୍ଥିତି ଠିକ୍ ନଥିଲା ଏବଂ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା । ତେବେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଏହା ପଛରେ ପାରିବାରିକ କଳହ ରହିଛି ନା ମାନସିକ ବିକୃତି, ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସବୁଠାରୁ ଦୁଃଖଦାୟକ କଥା ହେଉଛି, ଏହି ଦମ୍ପତିଙ୍କର ଏକ ୫ ମାସର କୁନି ପୁତ୍ର ସନ୍ତାନ ରହିଛି । ମାଆର ମୃତ୍ୟୁ ଏବଂ ବାପାର ଗିରଫଦାରୀ ପରେ ଏବେ ଏହି ନିଷ୍ପାପ ଶିଶୁଟି ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛି । କେଉଁ କାରଣ ପାଇଁ ସର୍ବେଶ୍ଵର ଏତେ ବଡ଼ କାଣ୍ଡ ଭିଆଇଲା , ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
