Odia News Portal

ଟିମି ପ୍ରେମରେ ବାୟା ବିଦେଶୀ ଦମ୍ପତ୍ତି, ଅଟୋ ନେଇ ପଳେଇଗଲେ ବ୍ରିଟେନ

ଭାରତର ରାସ୍ତାରେ ଗଡ଼ୁଥିବା ଏକ ସାଧାରଣ ଅଟୋ ରିକ୍ସା ଏବେ ପହଞ୍ଚିଛି ବ୍ରିଟେନରେ। ଭାରତ ବୁଲିବାକୁ ଆସିଥିବା ଜଣେ ବ୍ରିଟିଶ୍ ଦମ୍ପତି ଏହି ଅଟୋକୁ ଏତେ ପସନ୍ଦ କରିଥିଲେ ଯେ, ଭାରତ ଛାଡ଼ିବା ସମୟରେ ଏହାକୁ ନିଜ ଦେଶକୁ ନେଇଯିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଆରା କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଡିଆ ରିପୋର୍ଟ ଅନୁସାରେ, ଦମ୍ପତି ତାମିଲନାଡୁର ଚେନ୍ନାଇରୁ ଏକ ନାଲି ରଙ୍ଗର ଅଟୋ କିଣିଥିଲେ। ଏହି ଅଟୋର ନାମ ରଖିଥିଲେ ‘ଟିମି ଦ ଟିନ୍ କ୍ୟାନ୍’। ଅଟୋର ସାମ୍ନା ଭାଗରେ କାର୍ଟୁନ୍ ଭଳି ଆଖି ଏବଂ ହସୁଥିବା ମୁହଁ ରହିଛି, ଯାହା ଏହାକୁ ଏକ ଭିନ୍ନ ପରିଚୟ ଦେଇଛି।

ଏହି ଅଟୋକୁ ନେଇ ଦମ୍ପତି ଭାରତର ବିଭିନ୍ନ ସ୍ଥାନ ବୁଲିଥିଲେ। ମାତ୍ର ୭୫ ଦିନ ମଧ୍ୟରେ ସେମାନେ ୪ ହଜାର ୨୧୮ କିଲୋମିଟର ଯାତ୍ରା କରିଥିଲେ। ଏହି ଯାତ୍ରା ସମୟରେ ଆଗ୍ରା ଓ ଗୋଆ ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଭାରତର ରାସ୍ତା, ପର୍ଯ୍ୟଟନସ୍ଥଳୀ ଏବଂ ଯାତ୍ରାର ଅନୁଭୂତିକୁ ସେମାନେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ।

ଯାତ୍ରା ଶେଷ ହେବା ପରେ ଭାରତରୁ ବିଦାୟ ନେବାର ସମୟ ଆସିଥିଲା। କିନ୍ତୁ ନିଜର ପ୍ରିୟ ଅଟୋକୁ ଭାରତରେ ଛାଡ଼ିବାକୁ ଦମ୍ପତିଙ୍କ ମନ ହୋଇନଥିଲା। ତେଣୁ ସେମାନେ ଏହାକୁ ସମୁଦ୍ର ପଥରେ ବ୍ରିଟେନ ପଠାଇବାକୁ ନିଷ୍ପତ୍ତି ନେଲେ।

ଅଟୋଟିକୁ ଏକ ବଡ଼ କାଠର ବାକ୍ସରେ ସୁରକ୍ଷିତ ଭାବେ ପ୍ୟାକ୍ କରି ଜାହାଜରେ ପଠାଯାଇଥିଲା। ପ୍ରାୟ ଛଅ ମାସର ଅପେକ୍ଷା ପରେ, ୨୩ ଅକ୍ଟୋବର ୨୦୨୬ରେ ଏହା ବ୍ରିଟେନର ଲଣ୍ଡନ ଗେଟୱେ ବନ୍ଦରରେ ପହଞ୍ଚିଥିବା ରିପୋର୍ଟରେ କୁହାଯାଇଛି। ଅଟୋକୁ କାଠର ବାକ୍ସରୁ ବାହାର କରିବାର ଦୃଶ୍ୟକୁ ମଧ୍ୟ ଦମ୍ପତି ସୋସିଆଲ ମିଡିଆରେ ସେୟାର କରିଥିଲେ।

ତେବେ ବ୍ରିଟେନର ରାସ୍ତାରେ ଏହି ଅଟୋ ଚଳାଇବା ପାଇଁ ଆବଶ୍ୟକ ପଞ୍ଜୀକରଣ ଓ ଅନ୍ୟ ଆଇନଗତ ଔପଚାରିକତା ପୂରଣ କରିବାକୁ ପଡ଼ିପାରେ। ଏହି ଅଟୋର ପରବର୍ତ୍ତୀ ଯାତ୍ରା କେବେ ଆରମ୍ଭ ହେବ, ତାହା ଏବେ ଜଣାପଡ଼ିନାହିଁ। ଏକ ସାଧାରଣ ଭାରତୀୟ ଅଟୋ ରିକ୍ସା କିପରି ବିଦେଶୀ ଦମ୍ପତିଙ୍କ ପାଇଁ ଅଭୁଲା ସ୍ମୃତି ପାଲଟିଗଲା, ତାହା ଏହି କାହାଣୀରୁ ସ୍ପଷ୍ଟ ହେଉଛି।