Odia News Portal

NATIONAL FLAG TENDER CONTROVERSY:ଦେଶଭକ୍ତି ନା ଖର୍ଚ୍ଚର ଖେଳ? ୫୦୦ ବିଶାଳ ତ୍ରିରଙ୍ଗା ପାଇଁ କୋଟି କୋଟି ଟଙ୍କା

ଦିଲ୍ଲୀରେ ଉଡ଼ୁଥିବା ୫୦୦ଟି ବିଶାଳ ଜାତୀୟ ପତାକାର ରକ୍ଷଣାବେକ୍ଷଣ ପାଇଁ ଏବେ ନୂଆ ଯୋଜନା। ପତାକାକୁ ଧୋଇ ପୁନଃବ୍ୟବହାର କରିବା ବଦଳରେ ପ୍ରତି ମାସ ନୂଆ ପତାକା ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରକଳ୍ପର ସ୍ଥାପନ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚର ଆକଳନ ପ୍ରାୟ ୨୦୦ କୋଟି ଟଙ୍କା ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୧ରେ ଆମ୍ ଆଦମୀ ପାର୍ଟିର ‘ଦେଶଭକ୍ତି’ ଅଭିଯାନ ଅଧୀନରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୫୦୦ଟି ବିଶାଳ ତ୍ରିରଙ୍୍ଗା ସ୍ଥାପନ କରିବା ଯୋଜନା ଆରମ୍ଭ ହୋଇଥିଲା। ୨୦୨୨ରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଏବେ ପତାକାର ରକ୍ଷଣାବେକ୍ଷଣ ପାଇଁ ନୂଆ ଟେଣ୍ଡର ଜାରି କରାଯାଇଛି। ନୂଆ ଟେଣ୍ଡର ଅନୁସାରେ, ୫୦୦ଟି ସ୍ଥାନରେ ପ୍ରତି ମାସର ପ୍ରଥମ ୨ରୁ ୩ ଦିନ ମଧ୍ୟରେ ନୂଆ ପତାକା ଲଗାଯିବ। ପତାକା ଛିଣ୍ଡିଗଲେ କିମ୍ବା କ୍ଷତିଗ୍ରସ୍ତ ହେଲେ ୪୫ ଦିନ ମଧ୍ୟରେ ତାହା ବଦଳାଇବାକୁ ଠିକାଦାରଙ୍କୁ ପଡ଼ିବ।

ପୂର୍ବରୁ ପ୍ରାୟ ୪ ମାସ ପର୍ଯ୍ୟନ୍ତ ପତାକା ବ୍ୟବହାର କରାଯାଉଥିଲା। ମଇଳା ହେଲେ ଧୋଇବା ଓ ଛିଣ୍ଡିଗଲେ ମରାମତି କରି ପୁନଃ ଲଗାଇବା ବ୍ୟବସ୍ଥା ଥିଲା। କିନ୍ତୁ ନୂଆ ନିୟମରେ ଧୋଇବା ବ୍ୟବସ୍ଥା ବନ୍ଦ କରି ନୂଆ ପତାକା ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ପୂର୍ବ ଟେଣ୍ଡରରେ ୨ ବର୍ଷ ପାଇଁ ୩ ହଜାର ପତାକା କିଣିବା ଯୋଜନା ଥିବାବେଳେ, ନୂଆ ଟେଣ୍ଡରରେ ଏହି ସଂଖ୍ୟା ବଢ଼ି ୧୦ ହଜାର ହୋଇଛି। ପତାକା କ୍ରୟ ପାଇଁ ନୂଆ ଟେଣ୍ଡରରେ ପ୍ରାୟ ୨୭.୩୨ କୋଟି ଟଙ୍କା ଆକଳନ କରାଯାଇଛି। ତେବେ ନୂଆ ପତାକାର କପଡ଼ା ପୂର୍ବରୁ ୧୬୫ GSM ଥିବାବେଳେ ଏବେ ୧୮୦ GSM କରାଯାଇଛି। ଅନ୍ୟପଟେ ପତାକାର ଆକାର ହ୍ରାସ କରାଯାଇଛି। ୩୫ ମିଟର ଖୁଣ୍ଟର ପତାକା ୩୬ ଫୁଟରୁ ୩୦ ଫୁଟକୁ ଏବଂ ୫୦ ମିଟର ଖୁଣ୍ଟର ପତାକା ୬୦ ଫୁଟରୁ ୪୮ ଫୁଟକୁ କମାଯାଇଛି।The huge Indian National Flag at Connaught Place

ପ୍ରତି ପତାକାର ଦର ପୂର୍ବ ଅପେକ୍ଷା କମିଥିଲେ ମଧ୍ୟ, ଅଧିକ ସଂଖ୍ୟାରେ ପତାକା କିଣିବା ଓ ପ୍ରତି ମାସ ବଦଳାଇବା ଯୋଜନା ଯୋଗୁଁ ମୋଟ ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି। ଏହା ସହିତ ୫୦୦ଟି ପତାକାର ସ୍ଥିତି ଯାଞ୍ଚ ପାଇଁ ୨୦ଟି ମୋଟରସାଇକେଲ୍‌ରେ ମୋବାଇଲ୍ ଟିମ୍ ନିୟୋଜିତ ହେବେ। ପତାକାର ସ୍ଥିତି ଯାଞ୍ଚ କରି ଦୈନିକ ରିପୋର୍ଟ ଦେବେ। ଏହି ଯାଞ୍ଚ ବ୍ୟବସ୍ଥା ପାଇଁ ପ୍ରାୟ ୨.୬୫ କୋଟି ଟଙ୍କା ଆକଳନ ରହିଛି। ଜାତୀୟ ପତାକା ଦେଶର ସମ୍ମାନ ଓ ଗର୍ବର ପ୍ରତୀକ। କିନ୍ତୁ ଏହାର ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେଉଥିବା ଅର୍ଥର ହିସାବ ମଧ୍ୟ ସ୍ୱଚ୍ଛ ରହିବା ଆବଶ୍ୟକ। ପ୍ରତି ପତାକାର ଦର କମିଥିବା ସତ୍ତ୍ୱେ ମୋଟ ଖର୍ଚ୍ଚ କେତେ ହେବ, ତାହା ଆଗାମୀ ଦିନରେ ଚୂଡ଼ାନ୍ତ ଟେଣ୍ଡର ଓ ପ୍ରକୃତ ଦେୟ ହିସାବରୁ ସ୍ପଷ୍ଟ ହେବ।