Odia News Portal

ଐତିହାସିକ ବିଜୟ ହାସଲ କଲା ଭାରତ

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ମେଲବର୍ଣ୍ଣ ବକ୍ସିଂ ଡେ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଆଜିଙ୍କ୍ୟ ରାହାଣେଙ୍କ ଶତକ ସହ ଭାରତୀୟ ବୋଲରଙ୍କ ଧୂଆଁଧାର ବୋଲିଂ ବଳରେ ଦ୍ୱିତୀୟ ଟେଷ୍ଟରେ ବିଜୟ ଲାଭ କରିଛି ଭାରତ । ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ ହୋଇଯାଇଥିଲା । ଏହାପରେ ଭାରତ ପ୍ରଥମ ଇନିଂସରେ ୩୨୬ରନ୍‌ କରିଥିଲା । ଭାରତକୁ ପ୍ରାରମ୍ଭିକ ଝଟକା ଲାଗିବା ସତ୍ତ୍ୱେ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଲଢୁଆ ଶତକୀୟ ଇନିଂସ ଓ ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଦଳରେ ଭାରତ ଅଷ୍ଟ୍ରେଲିଆଠୁ ୧୩୧ ରନ୍ ଆଗରେ ରହିଥିଲା ।

ଦ୍ୱିତୀୟ ଇନିଂସ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଦଳୀୟ ସ୍କୋର ୪ ରନ୍ ଥିବା ବେଳେ ଜୋଏ ବର୍ଣ୍ଣସ୍ ଆଉଟ ହୋଇଥିଲେ । ସେହିପରି ଏମ ଲାବୁସେନ ୨୮ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ ଓ୍ୱାଡେ ୪୦, ଷ୍ଟିଭ୍ ସ୍ମିଥ୍ ୮, ଟ୍ରାଭିସ୍ ହେଡ୍ ୧୭ ଓ ଟିମ୍ ପେନ୍ ୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଗତକାଲି ଖେଳ ଶେଷ ସୁଦ୍ଧା କ୍ରିଜରେ କ୍ୟାମରନ୍ ଗ୍ରୀନ ୧୭ ଓ ପ୍ୟାଟ୍ କ୍ୟୁମିନ୍ସ ୧୫ ରନରେ ବ୍ୟାଟିଂ ଜାରି ରଖିଥିଲେ । ତେବେ ୪ର୍ଥ ଦିନରେ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ । ଆଜି ଦିନର ଖେଳ ଆରମ୍ଭରୁ ଅଷ୍ଟ୍ରେଲିଆ ଟିମ୍‌ର ଲଗାତର ଭାବେ ଓ୍ୱିକେଟ୍‌ ପଡିଥିଲା । ଯାହାଫଳରେ ଅଷ୍ଟ୍ରେଲିଆ ଟିମ୍‌ ମୋଟ ୨୦୦ ରନ୍‌ କରିବାର ସମର୍ଥ ହୋଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାମରନ୍ ଗ୍ରୀନ ସର୍ବାଧିକ ୪୫ରନ୍‌ କରିଥିବା ବେଳେ ମ୍ୟାଥ୍ୟୁ ଓ୍ୱାଡେ ୪୦ ରନ୍‌, ଲାବୁସେନ୍‌ ୨୮ ରନ୍‌, ଟ୍ରାଭିସ୍‌ ହେଡ଼୍‌ ୧୭ରନ୍‌, ପ୍ୟାଟ୍‌ କମିନ୍‌ସ ୨୨ରନ୍‌, ଷ୍ଟାକ୍‌ ୧୪ ରନ୍‌, ହେଜେଲହୁଡ଼୍‌ ୧୦ ରନ୍‌ କରିଥିଲେ । ଫଳରେ ଭାରତକୁ ବିଜୟ ପାଇଁ ୭୦ ରନ୍ ଆବଶ୍ୟକ ଥିଲା ।

‌୭୦ ରନର ବିଜୟ ଲକ୍ଷ୍ୟକୁ ଭାରତ ସହଜରେ ପିଛା କରିନେଇଥିଲା । ଦଳକୁ ପ୍ରାରମ୍ଭିକ ଝଟକା ଲାଗିଥିଲେ ମଧ୍ୟ ଏହା ବିଜୟ ଉପରେ କୌଣସି ପ୍ରଭାବ ପକାଇପାରି ନଥିଲା । ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ୱାଲ ୫ ରନ୍ ଓ ଚେତଶ୍ୱର ପୂଜାରା ୩ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଶୁଭମନ ଗିଲ୍ ଓ ଆଜିଙ୍କ୍ୟ ରାହାଣେ ସ୍ଥିତି ସମ୍ଭାଳି ଭାରତକୁ ବିଜୟ ଅଭିମୁଖେ ନେଇଥିଲେ । ଫଳରେ ଦଳ ୮ ଓ୍ୱିକେଟ୍ ବାକିଥାଇ ମ୍ୟାଚ୍ ଜିତିନେଇଥିଲା । ରାହାଣେ ୨୭ ରନ୍ କରିଥିବା ବେଳେ ଶୁଭମନ୍ ୩୫ ରନ୍ କରିଥିଲେ । ଏହାସହ ସିରିଜକୁ ମଧ୍ୟ ଭାରତ ୧-୧ କରି ବରାବର ସ୍ଥିତିକୁ ଆଣିଛି ।