ଢେଙ୍କାନାଳ: ଢେଙ୍କାନାଳର ବାଜିଚୌକ ଫ୍ଲାଇଓଭର ନିକଟରେ ଅଭାବନୀୟ ଘଟଣା ଘଟିଛି। ଦୁର୍ଘଟଣାରେ ଚାଲିଯାଇଛି ୨ ନୀରିହ ଶିଶୁଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ମେଡିକାଲରେ ଭତ୍ତି କରାଯାଇଛି। ମୃତ ୨ ନାବାଳିକାଙ୍କ ବୟସ ୫ ଓ ୭ ବର୍ଷ ଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ଢେଙ୍କାନାଳ ସହରର ବାଜିଚୌକ ଓଭର ବ୍ରିଜ ତଳେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଫ୍ଲାଇଓଭର ନିକଟରେ ପିଲାମାନେ ଖେଳୁଥିବା ବେଳେ ରଙ୍ଗରୁଟ୍ରେ ଆସୁଥିବା ଏକ ଭ୍ୟାନ୍ ଶିଶୁଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତିନି ଶିଶୁଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଦୁର୍ଘଟଣାରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି । ମୃତ ଶିଶୁ ହେଲେ ପାଞ୍ଚ ବର୍ଷ ବୟସର ସୁହାନା କୁମାରୀ ଓ ସାତ ବର୍ଷ ବୟସର ସେହେନା କୁମାରୀ । ୧୨ବର୍ଷର ଶିଶୁ ଲୁସି କୁମାରୀଙ୍କ ଅବସ୍ଥା ଗୁରୁତର ହୋଇଛି | ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |
ମୃତାହତମାନେ ବିହାରର ରୋହିଦା ଜିଲ୍ଲା ମାନ୍ୟଗଲ ଅଞ୍ଚଳର ବୋଲି ଜଣାପଡିଛି । ପରିବାର ସହ ବୁଲା ବିକାଳୀ ଭାବେ ଏହି ବାଜିଚୌକ ଓଭର ବ୍ରିଜ ତଳେ ରହୁଥିଲେ । ଦୁର୍ଘଟଣା ଘଟାଇବା ପରେ ପିକଅପ ଭ୍ୟାନ୍ ର ଡ୍ରାଇଭର ଫେରାର ହୋଇଯାଇଛି ।ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଟାଉନ ପୋଲିସ ପହଞ୍ଚି ପିକଅପ ଭ୍ୟାନକୁ ଜବତ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଢେଙ୍କାନାଳ ତହସିଲଦାର ପହଞ୍ଚି ମୃତାହତ ପରିବାରକୁ ଅନୁକମ୍ପାମୂଳକ ସହାୟତା ପାଇଁ ରେଡକ୍ରସରୁ ୨୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି ।