Odia News Portal

ପୁଣି ଚର୍ଚ୍ଚାରେ ଗମ୍ଭୀର

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ରହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର । ବେଆଇନ ଭାବେ କୋଭିଡ-୧୯ ଔଷଧ ଫ୍ୟାବିଫ୍ଲୁ କିଣିବା, ଷ୍ଟକ ରଖିବା ଓ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ ! ଏଭଳି ମାମଲାର ପୁରା ଯାଂଚ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ କରିଥିଲା । ଏହାପରେ ଗୁରୁବାର ଦିନ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ ହାଇକୋର୍ଟରେ ନିଜର ରିପୋର୍ଟ ଦାଖଲ କରିଛି । ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ ତାରିଖରେ ହେବ ବୋଲି ଜଣାପଡିଛି ।

କରୋନା କାଳରେ ଦିଲ୍ଲୀର ବିଜେପି ସାଂସଦ ତଥା ପୂର୍ବତନ ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କ ଫାଉଣ୍ଡେସନ ମାଧ୍ୟମରେ ମାତ୍ରାଧିକ କୋଭିଡ ଔଷଧ ଫ୍ୟାବିଫ୍ଲୁ ମହଜୁଦ କରି ନିଜ କ୍ଷେତ୍ରର ଲୋକମାନଙ୍କୁ ବାଣ୍ଟିଥିବା ଅଭିଯୋଗ ହୋଇଥିଲା । କେବଳ ଗୌତମ ଗମ୍ଭୀର ନୁହନ୍ତି ଏଭଳି ଅଭିଯୋଗ ବି ଆପ୍ ବିଧାୟକ ପବୀଣ କୁମାରଙ୍କ ନାମରେ ଆସିଥିଲା । ଏଭଳି ଆଭିଯୋଗ ଆସିବା ପରେ କୋର୍ଟ ଏହି ମାମଲାର ଯାଂଚ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀକୁ ଦାୟିତ୍ୱ ଦେଇଥିଲା । ଯାହାର ଯାଂଚ କରି ଦିଲ୍ଲୀ ଡ୍ରଗ୍ସ କଣ୍ଟ୍ରୋଲର ଆଜି କୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି ।