କୋରାପୁଟ: ପାଇଖାନାରେ ରହୁଛନ୍ତି ଯୋଗେନ୍ଦ୍ର। ପୁଣି ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୦ ବର୍ଷ ହେଲା ଏହା ତାଙ୍କ ସ୍ଥାୟୀ ଠିକଣା ପାଲଟିଛି। ଏହି ପାଇଖାନା ଭିତରେ ତାଙ୍କ ତିନି ପ୍ରାଣୀର କୁଟୁମ୍ବ ଖାଉଛନ୍ତି, ରହୁଛନ୍ତି, ଶୋଉଛନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ଅଟକି ରହିଥିବା ତାଙ୍କର ହଜାରେ ହାରି ଗୁହାରି ଏହି ପାଇଖାନା ଭିତରେ ଚାପି ହୋଇ ରହିଯାଇଛି। ଅପରପକ୍ଷରେ ଯୋଗେନ୍ଦ୍ରଙ୍କୁ କେବେ ପକ୍କା ଘର ଖଣ୍ଡେ ମିଳିବ ତାହାର କିଛି ସମ୍ଭାବନା ଦିଶୁ ନ ଥିଲାବେଳେ ତାଙ୍କ ପାଠ ପଢ଼ୁଆ ଝିଅର ସ୍ବପ୍ନ ବି ମଉଳିବାକୁ ଆରମ୍ଭ କଲାଣି।କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଚାଷୀ ମୂଲିଆ ଆଦିବାସୀ ସଂଘର ଉପଦ୍ରବ କାଗରଣରୁ ଏହି ବ୍ଲକର ବିଭିନ୍ନ ଗ୍ରାମରୁ ଲୋକମାନେ ଗାଁ ଛାଡ଼ି ବାହାରକୁ ଚାଲି ଆସିଥିଲେ। ଏହି ଲୋକମାନଙ୍କ ମଧ୍ୟରେ ଥିଲେ ନାରାୟଣପାଟଣା ବ୍ଲକ୍ ପୋଡାପଦର ଗ୍ରାମର ଯୋଗେନ୍ଦ୍ର ଭତ୍ରା (୪୦ବର୍ଷ)। ପାଖାପାଖି ଦଶ ବର୍ଷ ତଳେ ସେ ଛାଟିମାଟିର ଘର ଛାଡ଼ି କୋରାପୁଟ ସହରକୁ ଆସିଥିଲେ। ପ୍ରଶାସନ ପକ୍ଷରୁ ତାଙ୍କ ଗ୍ରାମର କିଛି ଲୋକଙ୍କୁ ମୃତ୍ତିକା ସଂରକ୍ଷଣ ବିଭାଗର ଏକ ପରିତ୍ୟକ୍ତ କୋଠାରେ ରହିବାକୁ ଦିଆଯାଇଥିଲା। ତେବେ ଯୋଗେନ୍ଦ୍ରଙ୍କୁ ଏହି ଦଦରା ଘରେ ଜାଗା ଟିକିଏ ନ ମିଳିବାରୁ ସେ ମୁଣ୍ଡ ଗୁଞ୍ଜିବାକୁ ପାଇଖାନାରେ ରହି ଯାଇଥିଲେ। ଆଉ ସେହି ଦିନରୁ ତାଙ୍କ ଠିକଣା ବଦଳିଗଲା। ତାଙ୍କ ପାଖରେ ଆଉ କିଛି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଏହି ପାଇଖାନା ହିଁ ତାଙ୍କ ସଂସାରର ସବୁକିଛି ପାଲଟି ଯାଇଛି। ଯୋଗେନ୍ଦ୍ରଙ୍କ ପରିବାର କହିଲେ ପତ୍ନୀ ଓ ଗୋଟିଏ ଝିଅ। ଯୋଗେନ୍ଦ୍ର ନିଜେ କୁଲି କରି ପରିବାର ଚଳାଉଛନ୍ତି। ପତ୍ନୀ ଘର କାମ କରୁଥିଲା ବେଳେ ଝିଅ ନାଜରିତା କଲେଜରେ ପଢ଼ୁଛି। ସେ ଏବେ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରୀ। ପାଠ ପଢ଼ି ବଡ଼ ହେଲେ ଚାକିରୀ କରିବ ବୋଲି ପିଲାବେଳୁ ସ୍ବପ୍ନ ଦେଖି ଆସୁଥିବା ଏହି ଝିଅ ପ୍ରତିକୂଳ ପରିସ୍ଥିତି ଆଗରେ ମୁଣ୍ଡ ନୁଆଁଇ ସାରିଲାଣି।
ଅପରପକ୍ଷେ, ପାଇଖାନାରେ ରହୁଥିବା ଯୋଗେନ୍ଦ୍ର ଘର ଖଣ୍ଡିକ ପାଇଁ ବାରମ୍ବାର ଗୁହାରି କରିଛନ୍ତି। ପ୍ରଶାସନ ଆଗରେ ବହୁବାର ଗୋଡ ଭାଙ୍ଗି ଠିଆ ହୋଇଛନ୍ତି। କିନ୍ତୁ କେବଳ ପ୍ରତିଶ୍ରୁତି ମିଳିଛି। ସହାନୁଭୂତି ଟିକିଏ ବି ମିଳିନି। ତାଙ୍କ ସ୍ବର ସେଇ ପାଇଖାନା ଭିତରେ ବନ୍ଧା ପଡିଛି ବୋଲି କୁହନ୍ତି ଯୋଗେନ୍ଦ୍ର।
Sign in
Sign in
Recover your password.
A password will be e-mailed to you.