ଓଡ଼ିଶା ଖଣି ନିଗମ (ଓଏମସି) ଦ୍ୱାରା କୋଡ଼ିଙ୍ଗାମାଳି ଖଣି ବିଗତ ଆଠ ବର୍ଷ ଧରି ପରିଚାଳିତ ହୋଇଆସୁଛି । ଯାହାକି ଓଡ଼ିଶାର କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ରହିଛି । ଏଠାରୁ ଉତ୍ପାଦିତ ବକ୍ସାଇଟ୍ ରାଜ୍ୟର ଶିଳ୍ପଗୁଡ଼ିକୁ ଯୋଗାଇ ଦିଆଯାଏ, ଯାହା ଓଡ଼ିଶାର ଶିଳ୍ପ ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ବର୍ତ୍ତମାନ ଏହି ଖଣି ବାର୍ଷିକ ୩.୬ ନିୟୁତ ଟନ୍ କ୍ଷମତାରେ କାର୍ଯ୍ୟ କରୁଛି । ବଢି ଚାଲିଥିବା ଶିଳ୍ପ ଚାହିଦା ଏବଂ ଓଡ଼ିଶାର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଖଣି ଏବେ ବାର୍ଷିକ ୬.୦ ନିୟୁତ ଟନକୁ ସମ୍ପ୍ରସାରିତ ହେଉଛି ।
ବର୍ତ୍ତମାନ କିଛି ଶିଳ୍ପ ବିରୋଧି ନ୍ୟସ୍ତସ୍ବାର୍ଥ ଗୋଷ୍ଠି ଏହି ସମ୍ପ୍ରସାରଣକୁ ବିରୋଧ କରିବା ସହିତ ଶିଳ୍ପ ପ୍ରଗତିରେ ବାଧା ସୃଷ୍ଟି ପାଇଁ ଆଗେଇ ଆସିଛନ୍ତି । ଏହାଦ୍ୱାରା ବିକାଶମୂଳକ କାର୍ଯ୍ୟରେ କେତେକ ବ୍ୟାଘାତ ସୃଷ୍ଟି ହୋଇଛି । ତେବେ ଶିଳ୍ପ ଦ୍ବାରା ହେବାକୁ ଥିବା ବିକାଶକୁ ହୃଦୟଙ୍ଗମ କରି ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଏହି ସମ୍ପ୍ରସାରଣକୁ ବିପୁଳ ସମର୍ଥନ କରିଛନ୍ତି । ଖଣି ଆଖପାଖ ଗାଁର ୧୦ହଜାର ରୁ ଅଧିକ ବାସିନ୍ଦା ଆନୁଷ୍ଠାନିକ ଭାବରେ ସମ୍ପ୍ରସାରଣକୁ ସମର୍ଥନ କରି ଏକ ପତ୍ର ଦାଖଲ କରିଛନ୍ତି । ସେମାନଙ୍କ ସମର୍ଥନ ଏହି ପ୍ରକଳ୍ପ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଜଳ ଯୋଗାଣ, ସଡ଼କ ସଂଯୋଗ ସମେତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଲାଭ ଉପରେ ଆଲୋକପାତ କରେ ।
ଖଣି ସମ୍ପ୍ରସାରଣ ଦ୍ବାରା ହେବାକୁ ଥିବା ବିକାଶ ଉପରେ ମତ ରଖି, ଓଏମସି ସ୍ଥାୟୀ ଖନନ, ଗୋଷ୍ଠୀ କଲ୍ୟାଣ ଏବଂ ସମାବେଶୀ ଅଭିବୃଦ୍ଧି ପ୍ରତି ଏହାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛି । ଏହି ସମ୍ପ୍ରସାରଣ ଦ୍ୱାରା ପରିବେଶ ସୁରକ୍ଷା ଏବଂ ସମସ୍ତ ନିୟମ ଅନୁପାଳନ ସୁନିଶ୍ଚିତ କରିବା ସହିତ ଏହି ଅଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ ସାମାଜିକ-ଅର୍ଥନୈତିକ ଲାଭ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
