Odia News Portal

ଢେଙ୍କାନାଳ ଜିଲ୍ଲା ରୁ ବାଲ୍ୟ ବିବାହର ସଂପୂର୍ଣ୍ଣ ଉଚ୍ଛେଦ୍ଦ ଲାଗି କିଶୋର କିଶୋରୀମାନଙ୍କୁ ନେଇ ଗଠିତ ପ୍ରତିରୋଧ ମଞ୍ଚ

ଢେଙ୍କାନାଳ , ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ , ଆକ୍ସନଏଡ ଓ ୟୁନିସେଫର ମିଳିତ ସହଯୋଗରେ କିଶୋର ଓ କିଶୋରୀମାନଙ୍କୁ ନେଇ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର ଜିଲ୍ଲା ସ୍ତରୀୟ ଅଧିବେଶନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ କନଫରେନ୍ସ ହଲ , ଢେଙ୍କାନାଳ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଢେଙ୍କାନାଳ ଜିଲ୍ଲାର ୮ ଗୋଟି ବ୍ଲକରୁ ଓ ୫୫ ଜଣ କିଶୋର ଓ କିଶୋରୀ ଅଂଶଗ୍ରହଣ କରିଥିଲେ । ହିଁ ଜିଲ୍ଲାପାଳ ମହୋଦୟ ତାଙ୍କର ଅଭିଭାଷଣରେ ବାଲ୍ୟ ବିବାହର କାରଣ , ଏହାର କୁ ପରିଣତି ବିଷୟରେ କିଶୋର ଓ କିଶୋରୀମାନଙ୍କୁ ବୁଝାଇଥିଲେ । ଶିକ୍ଷା ମଣିଷକୁ ଚକ୍ଷୁ ପ୍ରଦାନ କରେ ଓ କେବଳ ଶିକ୍ଷା ବାଲ୍ୟ ବିବାହକୁ ରୋକିପାରିବ ସେ ପ୍ରସଙ୍ଗ ରେ ଆଲୋକପାତ କରିଥିଲେ । ଗ୍ରାମାଞ୍ଚଳର ମୁଖ୍ୟମାନେ କିପରି ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି କରିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ କିପରି ଆମେ କିଶୋର କିଶୋରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିବା ଓ ସେମାନଙ୍କର କୌଶଳ ବୃଦ୍ଧି କରାଇପାରିବା ସେ ବିଷୟରେ ଆଲୋକପାତ କରାଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଜୀବନରେ ଶିକ୍ଷାର ଆବଶ୍ଯକତା ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ନିଯୁକ୍ତି ଅଧିକାରୀ କିଶୋର ଓ କିଶୋରୀମାନଙ୍କ ପାଇଁ ଥିବା ନିଯୁକ୍ତି ଯୋଜନା ବିଷୟରେ ଆଲୋଚନା କରିଥିଲେ । ଶିଶୁ ମଙ୍ଗଳ ସମିତିର ସଦସ୍ୟ ବାଲ୍ୟ ବିବାହକୁ ନେଇ ସେମାନଙ୍କର ଅନୁଭୂତି ସମସ୍ତଙ୍କ ସମ୍ମୁଖରେ ରଖିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁ ଅଧିକାର ଓ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ସଂଯୋଜିକା , ୟୁନିସେଫ୍ ଓ ଆକ୍ସନଏଡ ବାଲ୍ୟ ବିବାହର କାରଣ , ଏହାର ପ୍ରଭାବ , ସାମାଜିକ ଓ ଆଇନ ଗତ ବ୍ୟବସ୍ଥା ଓ କିଶୋର କିଶୋରୀମାନଙ୍କ ପାଇଁ ଉପଲବ୍ଧ ଥିବା ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ ବାଲ୍ୟ ବିବାହକୁ ରୋକିବା ଲାଗି ଚେଷ୍ଟିତ ଥିବା ସମସ୍ତ କିଶୋର ଓ କିଶୋରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ନିଜର ଅଭିଜ୍ଞତା ସମସ୍ତଙ୍କ ସାମ୍ନାରେ ଉପସ୍ଥାପନା କରିଥିଲେ । ଅଂଶଗ୍ରହଣକାରିଙ୍କ ମଧ୍ୟରେ ବାଲ୍ୟ ବିବାହ ର କାରଣ , ଏହାର ପ୍ରଭାବ ଓ ଏହାକୁ ବନ୍ଦ କରିବାର ପଦକ୍ଷେପ ବିଷୟରେ ଦଳଗତ ଆଲୋଚନା କରାଯାଇଥିଲା । ଏଥିରେ ମୁଖ୍ୟ ଆଲୋଚନା ର ବିଷୟ ଥିଲା ଯେ ପଞ୍ଚାୟତ ସ୍ତରରେ ବିବାହର ପଞ୍ଜିକରଣ , କିଶୋର ଓ କିଶୋରୀମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରାଇବା , ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ଓ ବାଲ୍ୟ ବିବାହ ଆଇନ କୁ କଡାକଡି ଭାବେ ଲାଗୁ କରାଇବା । ଶେଷରେ ସମସ୍ତ ଅଂଶଗ୍ରହଣକାରି ବାଲ୍ୟ ବିବାହକୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ସହଯୋଗ ନ କରିବା ଲାଗି ଶପଥ ପାଠ କରିଥିଲେ ।