Odia News Portal

ପାକିସ୍ତାନର ବିଜୟ ରଥ ରୋକି ପାରିବ କି ଅଷ୍ଟ୍ରେଲିଆ?

ଦୁବାଇ: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଲିଗ ପର୍ଯ୍ୟାୟରେ ଅପରାଜେୟ ରହିଛି । ଲିଗ ପର୍ଯ୍ୟାୟରେ ପାକିସ୍ତାନ ଦମଦାର ପ୍ରଦର୍ଶନ କରିବା ସହ ପ୍ରଥମ ଦଳ ଯିଏକି ଚଳିତ ବିଶ୍ୱକପରେ ହାରିନାହିଁ । ତେବେ ଆଜି ଦ୍ୱିତୀୟ ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ପାକିସ୍ତାନ । ଏହି ପ୍ରତୀକ୍ଷିତ ଲଢ଼େଇରେ ପାକିସ୍ତାନର ଯୁବ ବାମହାତୀ ଦ୍ରୁତ ବୋଲର ସାହିନ ସାହ ଆଫ୍ରିଦି ନିଶ୍ଚିତ ଭାବେ ନିର୍ଣ୍ଣାୟକ ନେବେ। ତେବେ ଆଫ୍ରିଦି ରୂପକ ତୋଫାନି ଆହ୍ବାନ ଲାଗି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ପୂରା ପ୍ରସ୍ତୁତ ଅଛନ୍ତି। ଅବଶ୍ୟ ଆଫ୍ରିଦି ଅଷ୍ଟ୍ରେଲିଆ ପାଇଁ ବଡ଼ ଆହ୍ବାନ ହେବେ ବୋଲି ସ୍ବୀକାର କରିଛନ୍ତି। କାରଣ ୨୧ ବର୍ଷୀୟ ଆଫ୍ରିଦିଙ୍କ ଅଗ୍ନିବର୍ଷୀ ସ୍ପେଲ୍ରେ ହିଁ ଭାରତର ଶକ୍ତିଶାଳୀ ବ୍ୟାଟିଂକ୍ରମ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା। ହେଲେ ଆଫ୍ରିଦିଙ୍କ ପାଇଁ କଙ୍ଗାରୁ ଦଳ ରଣନୀତି ପ୍ରସ୍ତୁତ କରିସାରିଛି ବୋଲି ଫିଞ୍ଚ୍ ସଙ୍କେତ ଦେଇଛନ୍ତି। ସେହିଭଳି ଅଷ୍ଟ୍ରେଲିଆ ପାଖରେ ମଧ୍ୟ ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ ଓ ଜୋସ୍ ହାଜେଲଉଡ୍ଙ୍କ ଭଳି ବୋଲର ଅଛନ୍ତି ବୋଲି କହି ପାକିସ୍ତାନକୁ ପରୋକ୍ଷ ଚେତାବନୀ ଦେଇଛନ୍ତି। ପାକିସ୍ତାନ ପାଖରେ ବାବର ଆଜମ, ମହମ୍ମଦ ରିଜୱାନ, ଫକର ଜମନ, ସୋଏବ ମଲ୍ଲିକ ଓ ମହମ୍ମଦ ହାଫିଜଙ୍କ ଭଳି ଖେଳାଳି ଥିବାରୁ ଆସନ୍ତାକାଲିର ମୁକାବିଲା ବେଶ୍ ରୋଚକ ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି।