Odia News Portal

ସ୍କିନ୍ ଟୁ ସ୍କିନ୍ ଟଚ୍ ଜରୁରୀ ନୁହେଁ, ପୋସ୍କୋ ଆଇନ

ନୂଆଦିଲ୍ଲୀ: ଶିଶୁ ଯୌନ ଶୋଷଣ ବା ପୋକ୍ସୋ ଆକ୍ଟକୁ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ସର୍ବୋଚ୍ଚ ଅଦାଲତ ସ୍କିନ ଟୁ ସ୍କିନ ଟଚ୍‌ ବା ଚର୍ମ ସ୍ପର୍ଶ ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ପୋକ୍ସୋ ଆକ୍ଟ ଅଧୀନରେ ଯୌନ ଶୋଷଣ ମାମଲା ରୁଜୁ କରିବା ପାଇଁ ସ୍କିନ ଟୁ ସ୍କିନ ଟଚ୍‌ ଜରୁରୀ ନୁହେଁ। ବମ୍ବେ ହାଇକୋର୍ଟ ସ୍କିନ ଟୁ ସ୍କିନ ଟଚ୍‌ ଜରୁରୀ ବୋଲି କହିଥିଲେ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଏସ୍‌ ରବୀନ୍ଦ୍ର ଭଟ୍ଟ ଓ ଜଷ୍ଟିସ ବେଲା ତ୍ରିବେଦୀଙ୍କ ଖଣ୍ଡପୀଠ ସ୍ପର୍ଶର ଅର୍ଥକୁ କେବଳ ସ୍କିନ-ଟୁ-ସ୍କିନରେ ସୀମିତ ରଖିବା ଗୋଟିଏ ସଂକୀର୍ଣ୍ଣ ମାନସିକତାର ପରିଚୟ। ସେହିପରି ଏପରି ମାନସିକତା ଯୋଗୁ ପୋକ୍ସୋ ଆକ୍ଟର ଅସଲ ଉଦ୍ଦେଶ୍ୟ ଧ୍ୱଂସ ହୋଇଯିବ।

ଛୋଟ ପିଲାମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ଦେବାକୁ ଏହି ଆଇନ ପ୍ରଣୟନ କରାଯାଇଛି। ଯୌନ ଶୋଷଣର ଉଦ୍ଦେଶ୍ୟ ରଖି କପଡ଼ା, ଶିଟ୍‌ କିମ୍ବା ଯେକୌଣସି ଜିନିଷରେ ସ୍ପର୍ଶ କରିବା ପୋକ୍ସୋ ଆକ୍ଟ ଅଧୀନରେ ହିଁ ଆସୁଛି। ସଂକୀର୍ଣ୍ଣ ମାନସିକତାର ବଶବର୍ତ୍ତୀ ହୋଇ ଆଇନର ଅସଲ ଉଦ୍ଦେଶ୍ୟକୁ କ୍ଷତି ପହଞ୍ଚାଇବା ଭଳି ନିର୍ଦ୍ଦେଶକୁ କେବେ ହେଲେ ଗ୍ରହଣ କରାଯିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।