Odia News Portal

ଶୀନାବୋରା ବଂଚିଛି ତାକୁ ଖୋଜ କହିଲେ ଇନ୍ଦ୍ରାଣୀ

୨୦୧୨ରେ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତା ପୂର୍ବତନ ମିଡିଆ ଏକ୍ଜିକ୍ୟୁଟିଭ୍ ଇନ୍ଦ୍ରାଣୀ ମୁଖାର୍ଜୀ ‘ସିବିଆଇ’ର ନିର୍ଦେଶକଙ୍କୁ ଲେଖିଥିବା ଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଶୀନା ବୋରା ବଞ୍ଚିଛି।
ଉକ୍ତ ପତ୍ରରେ ଇନ୍ଦ୍ରାଣୀ ଲେଖିଛନ୍ତି ଯେ, ଅଳ୍ପ ଦିନ ତଳେ ଜେଲ୍ରେ ସେ ଜଣେ ମହିଳାଙ୍କୁ ଭେଟିଥିଲେ। ଶୀନା ବୋରାଙ୍କୁ କଶ୍ମୀରରେ ଭେଟି ଥିବା କଥା ସେ ମହିଳାଜଣକ ତାଙ୍କୁ କହିଛନ୍ତି। ତେଣୁ, କଶ୍ମୀରରେ ଶୀନା ବୋରାଙ୍କର ସନ୍ଧାନ ନିଆଯାଉ।
ଉକ୍ତ ଚିଠି ବ୍ୟତିରେକେ, ଇନ୍ଦ୍ରାଣୀ ‘ସ୍ପେସାଲ୍ ସିବିଆଇ କୋର୍ଟ’ରେ ମଧ୍ୟ ଆବେଦନ କରିଛନ୍ତି। ଯଥା ଶୀଘ୍ର ତାଙ୍କ ଆବେଦନର ଶୁଣାଣି ହେବାର ସମ୍ଭାବନା ରହିଛି।
ସ୍ମରଣଯୋଗ୍ୟ, ଶୀନା ବୋରା ହତ୍ୟା ମାମଲାରେ ୨୦୧୫ରୁ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଗିରଫ କରାଯାଇ ମୁମ୍ବାଇସ୍ଥିତ ବାଇକୁଲ୍ଲା ଜେଲ୍ରେ ରଖାଯାଇଛି। ଗତ ମାସରେ ବମ୍ବେ ହାଇକୋର୍ଟ ତାଙ୍କର ଜାମିନ ଆବେଦନ ଅଗ୍ରାହ୍ୟ କରିଦେବାରୁ ଓକିଲ ସାନା ଖାଁଙ୍କ ଜରିଆରେ ସେ ସୁପ୍ରିମ୍ କୋର୍ଟରେ ଆବେଦନ କରିବାର ସମ୍ଭାବନା ଅଛି।
ସୂଚନାଯୋଗ୍ୟ, ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଡ୍ରାଇଭର୍ ଶ୍ୟାମବର ରାୟଙ୍କୁ ବନ୍ଧୁକ ସହ ଗିରଫ କରାଯିବା ପରେ ଶୀନା ବୋରା ହତ୍ୟା ମାମଲା ଲୋକଲୋଚନକୁ ଆସିଥିଲା। ମୁମ୍ବାଇ ପୁଲିସ ଜେରା କଲା ବେଳେ ରାୟ କହିଥିଲେ କି, ସେ ଅନ୍ୟ ଏକ ମାମଲାରେ ମଧ୍ୟ ଜଡ଼ିତ ଏବଂ ଗୋଟାଏ ହତ୍ୟାକାଣ୍ଡ ଦେଖିଛନ୍ତି। ତାହା ହେଲା, ଇନ୍ଦ୍ରାଣୀ ମୁଖାର୍ଜୀ ଶୀନା ବୋରାଙ୍କୁ ଶ୍ବାସରୁଦ୍ଧ କରି ମାରିଛନ୍ତି।
ମୁମ୍ବାଇ ପୁଲିସ ଏବଂ ‘ସିବିଆଇ’ କହିବା ଅନୁସାରେ, ଇନ୍ଦ୍ରାଣୀ ମୁଖାର୍ଜୀ ନିଜର ଦୁଇ ସନ୍ତାନ ଶୀନା ଓ ମିଖେଲ୍ଙ୍କୁ ପରିତ୍ୟାଗ କରିବା ପରେ ସେମାନେ ଗୌହାଟିସ୍ଥିତ ଅଜାଆଈଙ୍କ ଘରେ ରହୁଥିଲେ। ଏ ଭିତରେ ଇନ୍ଦ୍ରାଣୀ ମିଡିଆ ଏକ୍ଜିକ୍ୟୁଟିଭ୍ ପିଟର୍ ମୁଖାର୍ଜୀଙ୍କୁ ବାହା ହୋଇଥିବାର ଫଟୋ ଗୋଟାଏ ପତ୍ରିକାରେ ଦେଖିବା ପରେ ଶୀନା ମାଆଙ୍କ ବିଷୟରେ ସବୁକଥା ଜାଣିପାରିଥିଲେ।
ଏହାପରେ ଶୀନା ମୁମ୍ବାଇ ଯାଇ ମାଆ ଇନ୍ଦ୍ରାଣୀଙ୍କୁ ଭେଟିଥିଲେ। ଶୀନା ତାଙ୍କର ଭଉଣୀ ବୋଲି ଇନ୍ଦ୍ରାଣୀ ସମସ୍ତଙ୍କୁ କହିବା ସହ ସ୍ବାମୀ ପିଟର୍ଙ୍କୁ ମଧ୍ୟ କହିଥିଲେ। କିନ୍ତୁ, ୨୦୧୨ରୁ ଶୀନାଙ୍କର କୌଣସି ପତ୍ତା ମିଳୁନାହିଁ।
ଏହାପରେ ପିଟର୍ଙ୍କ ପ୍ରଥମ ବିବାହରୁ ଜାତ ସନ୍ତାନ ରାହୁଲ୍ ମୁଖାର୍ଜୀ ଶୀନାଙ୍କର ସନ୍ଧାନ ନେବାକୁ ଉଦ୍ୟମ କରିଥିଲେ। କାରଣ, ନିରୁଦ୍ଦିଷ୍ଟ ହେବା ଅଳ୍ପ ଦିନ ପୂର୍ବରୁ ରାହୁଲ ଓ ଶୀନାଙ୍କ ମଧ୍ୟରେ ସ୍ନେହ ସମ୍ପର୍କ ଗଢ଼ିଉଠିଥିଲା।
ଶେଷରେ ୨୦୧୫ରେ ଘଟଣାର ତଦନ୍ତକାରୀମାନେ କହିଲେ ଯେ, ଇନ୍ଦ୍ରାଣୀ ଶୀନାଙ୍କୁ ମୁମ୍ବାଇର ବାନ୍ଦ୍ରାରେ ଶ୍ବାସରୁଦ୍ଧ କରି ହତ୍ୟା କରିବା ପରେ ଶବକୁ ରିଆଗଡ଼ ଜିଲ୍ଲାରେ ଫିଙ୍ଗି ଦେଇଥିଲେ। ସେମାନେ ସେଠାରୁ ଶୀନାଙ୍କର ଦେହାବଶେଷ ପାଇଥିବା କଥା ମଧ୍ୟ ଦାବି କରିଥିଲେ। କିନ୍ତୁ, ଇନ୍ଦ୍ରାଣୀ ଏକଥା ଅସ୍ବୀକାର କରି ଆସୁଛନ୍ତି।