Odia News Portal

ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଯୋଧ୍ୟାର ‘ଲତା ମଙ୍ଗେସକର ଚୌକ’

କେବଳ ସଂଗୀତ ପ୍ରେମୀ କାହିଁକି ବରଂ ଭାରତର ପ୍ରତ୍ୟେକଟି ମଣିଷ ଭିତରେ ଗୋଟିଏ ନାମ ଅତି ପରିଚିତ, ଲତା ମଙ୍ଗେସକର। ଲତାଙ୍କ ଯାଦୁକରୀ କଣ୍ଠସ୍ୱର ହେଉ କି ତାଙ୍କ ଜୀବନ ଶୈଳୀ, ସେ ସବୁବେଳେ ଆମ ସମସ୍ତଙ୍କର ପ୍ରିୟ କୋକିଳକଣ୍ଠି ଲତା। ଏବେ କିନ୍ତୁ ଚର୍ଚ୍ଚା ଲତା ମଙ୍ଗେସକର ଚୌକକୁ ନେଇ। ଉତ୍ତରପ୍ରଦେଶରେ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ବୁଲିବାକୁ ଗଲାବେଳେ ପଡିଥାଏ ଲତା ମଙ୍ଗେସକର ଚୌକ। ଏବେ ସେହି ଚୌକ ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି। ଚଳିତ ବର୍ଷ ସେପ୍ଟେମ୍ବର ୨୮ରେ ଲତାଙ୍କ ୯୩ ତମ ଜନ୍ମ ବାର୍ଷିକୀରେ ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏହି ଚୌକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ।

ଏହା ଲତା ମଙ୍ଗେସକରଙ୍କୁ ଏକ ମହାନ ଶ୍ରଦ୍ଧାଞ୍ଜଳି ଅଟେ। ଫୈଜାବାଦକୁ ଯାଉଥିବା ରାସ୍ତାରେ ପଡୁଥିବା ଏହି ଚୌକ ଗୋଟିଏ ପଟେ ସରାୟୁ ଘାଟ (ନୟା ଘାଟ)କୁ ଏବଂ ଅନ୍ୟ ପଟେ ରାମ ପଥକୁ ସଂଯୋଗ କରିଛି। ରାମ ପଥ ନିର୍ମାଣାଧୀନ ରାମ ମନ୍ଦିରକୁ ସଂଯୋଗ କରୁଛି ଯେଉଁ ବାଟ ଦେଇ ଅଧିକାଂଶ ପର୍ଯ୍ୟଟକ ମନ୍ଦିରକୁ ଆସନ୍ତି। ସେଠାରେ ସବୁ ସମୟରେ ଲତା ମଙ୍ଗେସକର ଗାଇଥିବା ରାମ ଭଜନ ବାଜିଥାଏ।

ଏହି ଚୌକ ଲାଲ୍ ବାଲୁକା ପଥରରେ ନିର୍ମିତ ଲତା ମଙ୍ଗେଶକର ଚକ୍, ଯାହାର କେନ୍ଦ୍ରସ୍ଥଳରେ ଏକ ବୃହତ ଆକାରର ବୀଣା (ବାଦ୍ୟଯନ୍ତ୍ର) ନିର୍ମାଣ କରାଯାଇଛି। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିବା ଏହି ବୀଣା ଚାରିପାଖରେ ୯୨ଟି ପଦ୍ମ ଫୁଲ ଆକୃତିର ଧଳା ମାର୍ବଲ ରହିଛି ଯାହା ଲତାଙ୍କ ୯୨ ବର୍ଷର ଜୀବନ ଯାତ୍ରାକୁ ମନେ ପକାଇ ଦେଇଥାଏ।

ଅଯୋଧ୍ୟା ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ବିଶାଲ ସିଂ କହିଛନ୍ତି, ଏହି ପ୍ରକଳ୍ପର ନିର୍ମାଣ ମୂଲ୍ୟ ପ୍ରାୟ ୭.୯୦ କୋଟି ଟଙ୍କା ଥିଲା। କେନ୍ଦ୍ରରେ ଥିବା ଏହି ବୀଣାକୁ ପଦ୍ମ ପୁରସ୍କାର ପ୍ରାପ୍ତ ରାମ ଭି ସୂତାର ଡିଜାଇନ୍ କରିଛନ୍ତି।