Odia News Portal

ଚୀନ୍‌ରେ କରୋନା ମୃତ୍ୟୁ ଅସମ୍ଭାଳ

ଚୀନ୍‌ରେ କରୋନା ପୁନର୍ବାର ବଢ଼ିବାରେ ଲାଗିଛି, କୋଭିଡ୍‌ରେ ପ୍ରତିଦିନ ସେଠାରେ ବହୁସଂଖ୍ୟକ ଲୋକଙ୍କ ମୃତ୍ୟୁ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏପରି ଚର୍ଚ୍ଚାକୁ ଅଧିକ ବଳିଷ୍ଠ କରୁଛି କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବଦାହ ପାଇଁ ଥିବା ସ୍ବତନ୍ତ୍ର ଶ୍ମଶାନ ନିକଟରେ ବହୁସଂଖ୍ୟକ ପୁଲିସ କର୍ମଚାରୀଙ୍କ ମୁତୟନ। ବେଜିଂର ଡୋଙ୍ଗଜିଆଓ ଶ୍ମଶାନରେ କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ନିମନ୍ତେ ବ୍ୟବସ୍ଥା ରହିଥିବା ବେଳେ ସେଠାରେ ଗତ କିଛିଦିନ ହେବ ଅଧିକ ସଂଖ୍ୟାରେ ମୃତଦେହର ଅନ୍ତିମ ସଂସ୍କାର କରାଯାଉଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ମଶାନ ନିକଟରେ ବହୁସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଉଥିବାବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଶ୍ମଶାନ ନିକଟରୁ ବଳପୂର୍ବକ ହଟା ଯାଉଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ନିଜ ନାମ ଗୋପନ ରଖି ଶ୍ମଶାନର କେତେକ କର୍ମଚାରୀ ବିଦେଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଚୀନ୍‌ରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ସରକାରଙ୍କ ତରଫରୁ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା। ତେବେ ବିରୋଧ ଯୋଗୁଁ ସରକାର କଟକଣା ହଟାଇ ଦେବାକୁ ବାଧ୍ୟ ହୋଇଥିଲେ। କଟକଣା ହଟିବା ପରେ କରୋନାରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ସରକାର କରୋନା ମୃତ୍ୟୁକୁ ନେଇ ତଥ୍ୟ ଲୁଚାଉଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି।

ଡୋଙ୍ଗଜିଆଓ ଶ୍ମଶାନରେ ପ୍ରତିଦିନ ଦାହ ପାଇଁ ପାଖାପାଖି ୨୦୦ଟି ମୃତଦେହ ଆସୁଥିବାରୁ ଚୀନ୍‌ରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତି ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ପରିଲକ୍ଷିତ ହେଉଥିବା ସ୍ପଷ୍ଟ ହୋଇଛି। ଶ୍ମଶାନର କର୍ମଚାରୀମାନେ ପିପିଇ କିଟ୍ ପିନ୍ଧି ଗାଡ଼ିରୁ ଶବ ବାହାର କରି ଅନ୍ତିମ ସଂସ୍କାର ପାଇଁ ନେଉଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ କର୍ମଚାରୀଙ୍କ ଉପରେ ଅଧିକ କାମ ଚାପ ପଡୁଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ଚୀନ୍‌ରେ ଦେଖା ଦେଇଥିବା କରୋନା ସଂକ୍ରମଣ ଭୟାବହ ପରିସ୍ଥିତି ସୃଷ୍ଟି କରିବ ନାହିଁ ଏବଂ ଖୁବ୍‌ଶୀଘ୍ର ଏହା ଉପରେ ନିୟନ୍ତ୍ରଣ କରାଯିବ ବୋଲି କେତେକ ଅଧିକାରୀ କହିଛନ୍ତି। ତେବେ ଚୀନ୍‌ରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ମାତ୍ର ୪୦% କୋଭିଡ୍‌ର ବୁଷ୍ଟର ଡୋଜ ଟିକା ନେଇଥିବାରୁ ସଂକ୍ରମଣ ବୃଦ୍ଧି ଜାରି ରହିଲେ ଅଧିକ ସଂଖ୍ୟାରେ ବୟସ୍କଙ୍କ ଜୀବନହାନି ହେବ ବୋଲି ଆକଳନ କରାଯାଉଛି।

ଅନ୍ୟପକ୍ଷରେ କରୋନାର ମୁକାବିଲା ପାଇଁ ପ୍ରାକୃତିକ ଭାବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଚୀନ୍‌ବାସୀ ଲେମ୍ବ ଉପରେ ଭରସା କରୁଛନ୍ତି। ତେଣୁ ଚୀନ୍‌ ବଜାରରେ ଲେମ୍ବୁର ବିକ୍ରି ଆଶାତୀତ ଭାବେ ବୃଦ୍ଧି ପାଇଛି। ଏ ସମ୍ପର୍କରେ ୱେନ ନାମକ ଜଣେ ଚାଷୀ କହିଛନ୍ତି ସେ ୧୩୦ ଏକରରେ ଲେମ୍ବୁ ଚାଷ କରିଛନ୍ତି। ପୂର୍ବରୁ ସେ ଦିନକୁ ୫ରୁ ୬ ଟନ୍‌ ଲେମ୍ବୁ ଦେଶର ବିଭିନ୍ନ ସହରକୁ ପଠାଉଥିବା ବେଳେ ଗତ କିଛିଦିନ ହେବ ପ୍ରତିଦିନ ୨୦ରୁ ୩୦ ଟନ୍‌ ଲେମ୍ବୁ ବଜାରକୁ ଛାଡ଼ୁଛନ୍ତି। ବେଜିଂ ଓ ସାଂଘାଇ ପରି ସହରରେ ଲେମ୍ବର ଚାହିଦା ବହୁତ ଅଧିକ ରହୁଛି। କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ପ୍ରାକୃତିକ ଭାବେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଲୋକମାନେ ଲେମ୍ବୁ ଉପରେ ଅଧିକ ଭରସା କରୁଛନ୍ତି। ସେହିପରି ଅନ୍ୟ ଜଣେ ଚାଷୀ ଲିଉ କହିଛନ୍ତି ଗତ ୪/୫ ଦିନ ହେବ ଲେମ୍ବର ଦର ଦୁଇଗୁଣା ହୋଇଛି। ଦେଶର ବିଭିନ୍ନ ସ୍ଥାନରୁ ଅଧିକ ଲେମ୍ବୁ ଯୋଗାଇବାକୁ ବରାଦ ଆସୁଥିବାରୁ ଚାହିଦା ପୂରଣ କରିବାକୁ ତାଙ୍କୁ ଦିନକୁ ୧୪ ଘଣ୍ଟା କାମ କରିବାକୁ ପଡୁଛି। ଲେମ୍ବୁ ବ୍ୟତୀତ କମଳା ଓ ଅନ୍ୟ ଫଳର ଚାହିଦା ମଧ୍ୟ ବଢ଼ିଛି।