୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଘୋଷଣା ହୋଇଛି । ଓଡ଼ିଆ ଭାଷାରେ କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ଏଥର ମିଳିବ ପୁରସ୍କାର । କବିତା ସଂକଳନ “ଦୟାନଦୀ” ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ସେ ପାଇବେ । ମରର ପୁରସ୍କାର ସ୍ୱରୂପ ୧,୦୦,୦୦୦ ଟଙ୍କାର ଅର୍ଥରାଶି ଓ ତାମ୍ର ଫଳକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ।
୨୦୧୭ ମସିହାରେ ପ୍ରକାଶିତ ‘ଦୟାନଦୀ’ କବିତା ସଙ୍କଳନ ବେଶ୍ ପାଠକୀୟ ଆଦୃତି ଲାଭ କରିଥିଲା । ୧୯୭୭ ମସିହାରେ ଜନ୍ମିତ ଗାୟତ୍ରୀବାଳା ଏକାଧାରରେ ଜଣେ ସାମ୍ବାଦିକ, କବି, ଗାଳ୍ପିକ ଓ ଔପନାସିକ । ତାଙ୍କର ପ୍ରମୁଖ କବିତା ସଙ୍କଳନ ମଧ୍ୟରେ ରହିଛି ଆହତ ପ୍ରତିଶ୍ରୁତି(୨୦୦୧), ଅସ୍ପଷ୍ଟ ଈଶ୍ୱର(୨୦୦୨), ଅଣାୟତ୍ତ(୨୦୦୬), ଗାଁ(୨୦୦୮), ଯେତିକି ଦିଶୁଛି ଆକାଶ(୨୦୧୧), ଆଖି ନାଇଁ କାନ ନାଇଁ(୨୦୧୩), ଏ ରାତିର ଯେତେ ତାରା(୨୦୧୪), ବାଘ(୨୦୧୫), ଦୟାନଦୀ(୨୦୧୭), ମହେଞ୍ଜୋଦାର(୨୦୧୮), ନିର୍ବାଚିତ କବିତା(୨୦୧୯) ଓ ପ୍ରାର୍ଥନାର ଶବ୍ଦପରି(୨୦୨୨) । ବିସର୍ଜନ(୨୦୧୫), ନିଜକୁ ନେଇ ସତ ଗପ(୨୦୧୯) ନାମରେ ତାଙ୍କର ଦୁଇଟି ଗଳ୍ପ ସଙ୍କଳନ ଏବଂ ମମି ଯାହା ଜାଣେନାହିଁ(୨୦୧୬) ନାଁରେ ଏକ ଉପନ୍ୟାସ ମଧ୍ୟ ରହିଛି । ତାଙ୍କର ଦୁଇଟି କବିତା ଇଂରାଜୀରେ ଏବଂ ୪ ଟି କବିତା ହିନ୍ଦୀରେ ଅନୁବାଦିତ ହୋଇଛି ।
୨୦୧୧ ମସିହାରେ ତାଙ୍କୁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ମିଳିଥିଲା । ଏହାପୂର୍ବରୁ ୨୦୦୦ ମସିହାରେ ରାଜ୍ୟ ଯୁବ ପୁରସ୍କାର, ୨୦୦୩ ରେ କାଦମ୍ବିନୀ କବିତା ସମ୍ମାନ. ୨୦୧୧ ରେ ଉତ୍କଳ ସାହିତ୍ୟ ସମାଜ ଯୁବ କବି ସମ୍ମାନ, ୨୦୧୫ ରେ ଦୀପକ ମିଶ୍ର କବିତା ସମ୍ମାନ ମିଳିଥିଲା । ୨୦ ରୁ ଅଧିକ ଅନୁଷ୍ଠାନରୁ ସେ ସମ୍ମାନ ଓ ପୁରସ୍କାର ପାଇଛନ୍ତି ।