Odia News Portal

ଭାରତରେ ହେବ ଆପଲ୍‌ କାରଖାନା, ତିଆରି ହେବ ଆଇଫୋନ୍‌

ଚୀନ୍‌ରେ ବିଶ୍ବର ସର୍ବବୃହତ ଆଇଫୋନ୍ ନିର୍ମାଣ କାରଖାନା ସ୍ଥାପନ କରିଥିବା ସଂସ୍ଥା ‘ଫକ୍ସକନ୍’ ଭାରତରେ ଦ୍ବିତୀୟ ବଡ଼ କାରଖାନା ସ୍ଥାପନ କରିବାକୁ ଯାଉଛି। ତାମିଲନାଡ଼ୁ ପରେ କଂପାନି କର୍ଣ୍ଣାଟକରେ ଆଉ ଏକ କାରଖାନା ସ୍ଥାପନ କରିବ। ବେଙ୍ଗାଲୁରୁ ବିମାନବନ୍ଦର ନିକଟରେ ପ୍ରାୟ ୩୦୦ ଏକର ଜମିରେ ଏହି ବିଶାଳ କାରଖାନାକୁ କଂପାନି ସ୍ଥାପନ କରି ସେଥିରେ ଆପଲ୍‌ କଂପାନିର ଆଇଫୋନ୍ ତିଆରି କରିବ। ଏଥି ସହିତ କାରଖାନାର କିଛି ଅଂଶକୁ ଇଲେକ୍ଟ୍ରିକ୍ ଯାନ ନିର୍ମାଣ ଲାଗି ମଧ୍ୟ ବ୍ୟବହାର କରିବ। କାରଖାନା ନିର୍ମାଣରେ କଂପାନି ୭୦୦ ନିୟୁତ ଡଲାର ନିବେଶ କରିବ। ଆଜି ଟ୍ବିଟ୍‌ କରି ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ସୂଚନା ଦେଇଛନ୍ତି। ତାଇୱାନ୍‌ର ସଂସ୍ଥା ଫକ୍ସକନ୍‌ ସ୍ଥାପନ କରିବାକୁ ଥିବା ନୂଆ କାରଖାନା ଦ୍ବାରା ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି କାରଖାନା ଅନେକ ସୁଯୋଗ ସୃଷ୍ଟି କରିବ ବୋଲି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ କହିଛନ୍ତି। ଫକ୍ସକନ୍‌ର ଅଧ୍ୟକ୍ଷ ୟଙ୍ଗ୍‌ ଲୁଇଙ୍କ ନେତୃତ୍ବରେ ଏକ ୧୭ ଜଣିଆ ପ୍ରତିନିଧି ଦଳ କାରଖାନା ସ୍ଥାପନ ସ୍ଥଳ ପରିଦର୍ଶନ କରିଛନ୍ତି। ବିଦେଶୀ କଂପାନିଗୁଡ଼ିକ ଲାଗି ବେଙ୍ଗାଲୁରୁ ପସନ୍ଦର ସ୍ଥଳ ଭାବେ ଉଭା ହୋଇଛି ବୋଲି କଂପାନିର ଅଧ୍ୟକ୍ଷ ଶ୍ରୀ ଲୁଇ କହିଛନ୍ତି। ସେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। କର୍ଣ୍ଣାଟକରେ ଫକ୍ସକନ୍ କରିବାକୁ ଯାଉଥିବା ନିବେଶ ଭାରତରେ କଂପାନିର ସବୁଠୁ ବଡ଼ ପୁଞ୍ଜିନିବେଶ ହେବ। ଏହା ପୂର୍ବରୁ କଂପାନି ତାମିଲନାଡୁରେ ଏକ ଆଇଫୋନ୍ କାରଖାନା ସ୍ଥାପନ କରିଥିଲା।