Odia News Portal

ଦିଲ୍ଲୀରେ ବାଇକ ଟ୍ୟାକ୍ସି ନିଷେଧ, ଉଲଘଂନ କଲେ ଭରିବାକୁ ପଡିବ ଜୋରିମାନା

ଓଲା, ଉବର, ରାପି‌ଡ଼ୋ ଭଳି ବାଇକ୍ ଟ୍ୟାକ୍ସି ସେବା ପ୍ରଦାନକାରୀ କମ୍ପାନିଙ୍କ ଉପରେ ଦିଲ୍ଲୀ ସରକାର କଟକଣା ଲଗାଇଛନ୍ତି। ତୁରନ୍ତ ‌େସବା ବନ୍ଦ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ଅଣ ପରିବହନ (ପ୍ରାଇଭେଟ) ପଞ୍ଜୀକରଣ ହୋଇଥିବା ଦୁଇ ଚକିଆ ଯାନକୁ ଯାତ୍ରୀ ପରିବହନ ପାଇଁ ବ୍ୟବହାର କରାଯାଉଛି। ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶନାମା ସତ୍ତ୍ବେ କେତେକ ଆପ୍‌ରେ ଏବେ ବି ସେବା ମିଳୁଛି। ପ୍ରଥମ ଥର ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୫ ହଜାର ଟଙ୍କାର ଜରିମାନା ଆଦାୟ ହେବ। ଦ୍ବିତୀୟ କିମ୍ବା ପରବର୍ତ୍ତୀ ପର୍ଯ୍ୟାୟରେ ଧରାପଡ଼ିଲେ ୧୦ ହଜାର ଟଙ୍କା ଜରିମାନା ସହିତ ଜେଲଦଣ୍ଡ ମଧ୍ୟ ହେବ। ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଟ୍ରାଫିକ ପୁଲିସ ବିଭାଗ ଓଲା, ଉବର ଏବଂ ରାପିଡ଼ୋ ସହ ଜଡ଼ିତ ଗାଡ଼ିଗୁଡ଼ିକର ଯାଞ୍ଚ କରୁଛି। ଯଦି ବାରମ୍ବାର ନିୟମ ଉଲ୍ଲଂଘନ କରାଯାଏ ତାହେଲେ ସଂପୃକ୍ତ ବ୍ୟକ୍ତିର ଡ୍ରାଇଭିଂ ଲାଇସେନ୍ସ ଅତିକମ୍‌ରେ ୩ ବର୍ଷ ପାଇଁ ରଦ୍ଦ କରାଯିବ।

ମହାରାଷ୍ଟ୍ରରେ ସୁପ୍ରିମକୋର୍ଟ ରାପିଡ଼ୋ ସେବା ନିଷିଦ୍ଧ କରିବା ପରେ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଭଳି ବାଇକ୍ ସେବା କ୍ଷେତ୍ରରେ କେତେକ ସମସ୍ୟା ରହିଛି। ସେଥିରୁ ଗୋଟିଏ ବଡ଼ ସମସ୍ୟା ହେଲା ଏମର୍ଜେନ୍ସି ବଟନର କୌଣସି ବ୍ୟବସ୍ଥା ନାହିଁ। ତେଣୁ ମହିଳା ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ରହିଛି। ବର୍ତ୍ତମାନର ନିୟମ ଅନୁଯାୟୀ, ଯେଉଁଠି ଡ୍ରାଇଭର ଏବଂ ଜଣେରୁ ଅଧିକ ଯାତ୍ରୀ ରହିଥାନ୍ତି ତାହାକୁ ଟ୍ୟାକ୍ସି ସେବା ଭାବେ ବିବେଚନା କରାଯାଇଥାଏ ବୋଲି ଜଣେ ଅଧିକାରୀ କହିଛନ୍ତି। ତେଣୁ କେବଳ ୪ ଚକିଆ କ୍ୟାବ, ଅଟୋ ରିକ୍ସା ଏବଂ ଇ-ରିକ୍ସା ଏହି ବର୍ଗରେ ଆସିଥାଏ। କ୍ୟାବ ସେବା ପାଇଁ କେତେକ ନିୟମ ମାନିବାକୁ ପଡ଼ିଥାଏ। ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କ କହିବାନୁଯାୟୀ, ୨ ଚକିଆ, ୩ ଚକିଆ ଏବଂ ୪ ଚକିଆ ପାଇଁ ଏଗ୍ରିଗେଟର ନୀତି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ। ଫଳରେ ଏଗ୍ରିଗେଟରମାନେ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ସରକାର ଦୁଇ ଚକିଆ ଇଭିକୁ ବାଇକ୍ ଟ୍ୟାକ୍ସି ସେବା ପାଇଁ ଅନୁମୋଦନ ଦେବା ବିଷୟରେ ଚିନ୍ତା କରୁଛନ୍ତି।