Odia News Portal

ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ବିମାନବନ୍ଦର ଦାବି, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଦକ୍ଷିଣ ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର । ବ୍ରହ୍ମପୁରରେ ବିମାନବନ୍ଦର ଦାବିକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ଡ଼ଃ ସସ୍ମିତ ପାତ୍ର । ରାଜ୍ୟସଭା ସାଂସଦ ଡ଼ଃ ସସ୍ମିତ ପାତ୍ର ନୂଆଦିଲ୍ଲୀଠାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁଙ୍କୁ ସାକ୍ଷାତ କରି ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପକୁ ଏକ ପୂର୍ଣ୍ଣାଙ୍ଗ ବାଣିଜ୍ୟିକ ବିମାନବନ୍ଦରକୁ ଉନ୍ନତି କରି “ବ୍ରହ୍ମପୁର ବିମାନବନ୍ଦର” ଭାବେ ବିକଶିତ କରିବା ପାଇଁ ଦାବି ଜଣାଇଛନ୍ତି । ଏ ନେଇ ସସ୍ମିତ ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଏକ ଚିଠି ପ୍ରଦାନ କରିଛନ୍ତି। ସସ୍ମିତ ପାତ୍ର ଏହି ଚିଠିରେ, ଦକ୍ଷିଣ ଓଡ଼ିଶାରେ ଦୀର୍ଘ ଦିନ ଧରି ବିମାନ ସେବା ଅଭାବ ଓ ଯାତାୟତ ସଂଯୋଗ ସମସ୍ୟା ଉଲ୍ଲେଖ କରିଛନ୍ତି । ମୁଖ୍ୟତଃ ବ୍ରହ୍ମପୁର ଏବଂ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଭଳି ଜିଲ୍ଲା ଗୁଡ଼ିକ ଆର୍ଥିକ, ଶିକ୍ଷା, ପର୍ଯ୍ୟଟନ ଓ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଯଥେଷ୍ଟ ବିମାନ ସଂଯୋଗରୁ ବଞ୍ଚିତ ରହିଛି ବୋଲି ଉଲ୍ଲେଖ କରିଛନ୍ତି ।ସସ୍ମିତ ପାତ୍ର ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ‘‘ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌କୁ UDAN ଯୋଜନା ଅଧିନରେ ପୂର୍ବରୁ ଚିହ୍ନଟ କରାଯାଇଥିଲା ଏବଂ ୨୦୨୩ ମସିହାରେ ଉକ୍ତ ସ୍ଥାନରେ ଆଞ୍ଚଳିକ ବିମାନ ସେବା ମଧ୍ୟ ଆରମ୍ଭ ହୋଇଥିଲା । ଏହି ପ୍ରସଙ୍ଗକୁ ରାଜ୍ୟସଭାରେ ଏକାଧିକ ଥର ଉଠାଇଥିବା ସହିତ ଦକ୍ଷିଣ ଓଡ଼ିଶାର ଦୀର୍ଘମିଆଦୀ ଉନ୍ନତି ପାଇଁ ଏହାର ଗୁରୁତ୍ୱ ନେଇ ଉଲ୍ଲେଖ କରିଥିଲେ । ଏକ ପୂର୍ଣ୍ଣାଙ୍ଗ “ବ୍ରହ୍ମପୁର ବିମାନବନ୍ଦର” ସ୍ଥାପିତ ହେଲେ ଦକ୍ଷିଣ ଓଡ଼ିଶାରେ ପର୍ଯ୍ୟଟନ, ଶିଳ୍ପ, MSME, ସାମୁଦ୍ରିକ ରପ୍ତାନି, ସ୍ବାସ୍ଥ୍ୟ ସେବା ଓ ବିପଦ ପରିଚାଳନା କ୍ଷେତ୍ରରେ ବ୍ୟାପକ ଉନ୍ନତି ହେବ’’।ବିଶେଷ କରି ଗୋପାଳପୁର ସମୁଦ୍ରତଟ ଓ ସମଗ୍ର ଦକ୍ଷିଣ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନା ଏହା ମାଧ୍ୟମରେ ଅଧିକ ଗତି ପାଇବ ବୋଲି କୁହାଯାଇଛି। ଏହି ଅବସରରେ ସାଂସଦଙ୍କ ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱର ସହ ଶୁଣିଥିବା ସହ ଏହାକୁ ସକାରାତ୍ମକ ଭାବେ ବିଚାର କରାଯିବ ବୋଲି ଆଶ୍ୱାସନା ଦେଇଥିବା ନେଇ ପ୍ରେସ ବିଜ୍ଞପ୍ତିରେ ଅବଗତ କରାଯାଇଛି।