ଦେଶରେ ପେଟ୍ରୋଲ ଓ ଡିଜେଲର ଅସ୍ୱାଭାବିକ ଦରବୃଦ୍ଧି ହୋଇଛି । ଏଥି ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଏହାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଆଜି ତୀବ୍ର ପ୍ରତିବାଦ କରାଯାଇଛି । ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ଓ ବିଜୁ ମହିଳା ଜନତା ଦଳର ମିଳିତ ଆହ୍ୱାନରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୁଶପୁତ୍ତଳିକା ଦାହ କରାଯାଇଛି ।ବିଜେଡି ଉପସଭାପତି ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, “ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ସିଧାସଳଖ ପ୍ରଭାବ ନିତ୍ୟାବଶ୍ୟକ ସାମଗ୍ରୀର ଦର ଉପରେ ପଡ଼ୁଛି । ଫଳରେ ସାଧାରଣ ଲୋକ, ମଧ୍ୟବିତ୍ତ ପରିବାର, ଚାଷୀ, ଶ୍ରମିକ, ଛୋଟ ବ୍ୟବସାୟୀ ଓ ପରିବହନ କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଦରଦାମ ବୃଦ୍ଧି ରୋକିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଜନସାଧାରଣଙ୍କ ଦୁଃଖ କଷ୍ଟ ପ୍ରତି ସରକାରଙ୍କର କୌଣସି ସମ୍ୱେଦନଶୀଳତା ନାହିଁ ।”ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, “ଲଗାତାର ଭାବେ ତେଲଦର ବଢି ଚାଲିଛି । ପ୍ରଭାବରେ ନିତ୍ୟ ବ୍ୟବହାର୍ଯ୍ୟର ଦର ମଧ୍ୟ ବଢ଼ିଛି । ସରକାର ଲୋକଙ୍କ ପ୍ରତି ନିଘା ନାହିଁ । ଅଶୋଧିତ ତୈଳ ବ୍ୟାରେଲ ପିଛା ୬୦ ଡଲାର ଥିଲାବେଳେ ଲୋକଙ୍କଠୁ ତୈଳ କମ୍ପାନୀ ମାନେ ଲାଭ କମାଇଥିଲେ । ଯୁଦ୍ଧର ଆଳ ଦେଖାଇ ଭାରତ ସରକାର ଲଗାତାର ଭାବେ ୪ ଥର ତୈଳ ଦର ବୃଦ୍ଧି କରି ସାଧାରଣ ଖାଉଟିଙ୍କ ଉପରେ ଦରଦାମର ବୋଝ ଲଦି ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ଦର ଅଟକେଇଥିଲେ । ନିର୍ବାଚନ ସରିଲା ଦର ବଢ଼େଇ ଚାଲିଛନ୍ତି ।”ଭୁବନେଶ୍ୱରରେ ବିଜେଡିର ପ୍ରତିବାଦ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିର କଟୁ ସମାଲୋଚନା କରିଛନ୍ତି ।
