Odia News Portal

ପାକିସ୍ତାନକୁ ୭୦ କୋଟି ଡଲାରର ସହାୟତା ହାତ ବଢାଇଲା ଚୀନ

ଗୁରୁତର ଆର୍ଥିକ ସଂକଟ ବେଳେ ପାକିସ୍ତାନ ନିକଟରେ ଛିଡ଼ା ହୋଇଛି ଚୀନ। ପାକିସ୍ତାନକୁ ଚୀନ ୭୦ କୋଟି ଡଲାର ଋଣ ଦେବାକୁ ଘୋଷଣା କରିଛି। ଏହା ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାରକୁ ବଢ଼ାଇବାରେ ସହାୟକ ହେବ। ଅର୍ଥନୀତିକୁ ସଂକଟରୁ ଟାଳିବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଠାରୁ ୬.୫ ବିଲିଅନ ଡଲାର ଆଣିବା ଲାଗି ଏହି ସଂସ୍ଥା ସହିତ ଆଲୋଚନା ଚଳାଇଥିଲେ ମଧ୍ୟ ସେଥିରେ ସେମିତି କିଛି ଅଗ୍ରଗତି ହେଉନାହିଁ। ଏଭଳି ସ୍ଥିତିରେ ପାକିସ୍ତାନକୁ ଚୀନ ସହାୟତା ପ୍ରଦାନ କରିବା ବଡ଼ ବରଦାନ ସାବ୍ୟସ୍ତ ହୋଇଛି। ଚୀନର ଚୀନ୍ ଡେଭଲପମେଣ୍ଟ ବ୍ୟାଙ୍କ ଋଣ ପ୍ରଦାନ କରିବ। ଉକ୍ତ ବ୍ୟାଙ୍କର ବୋର୍ଡ ଋଣ ପ୍ରଦାନକୁ ମଞ୍ଜୁରି ପ୍ରଦାନ କରିଛି। ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ ଜରିଆରେ ଚଳିତ ସପ୍ତାହରେ ଉକ୍ତ ଋଣ ମିଳିବା ନେଇ ଆଶା କରାଯାଉଛି। ଏହା ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାରକୁ ବଢ଼ାଇବ ବୋଲି ଏହାର ଅର୍ଥମନ୍ତ୍ରୀ ଇସାକ ଦର୍‌ କହିଛନ୍ତି। ଅର୍ଥ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଚୀନ ପୂର୍ବରୁ ଯୋଗାଇ ଦେଇଥିବା ଅନ୍ୟାନ୍ୟ ସହାୟତା ବାଦ୍ ଏହି ଋଣ ପ୍ରଦାନ କରିବ।

ପାକିସ୍ତାନ ଅର୍ଥନୀତି ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ଏହାର ବିଦେଶୀ ମୁଦ୍ରା ଭଣ୍ଡାର ୧୦ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସି ୩ ବିଲିଅନ ଡଲାରରେ ରହିଛି। ଏହି ରାଶିରେ ପାକିସ୍ତାନ ମାତ୍ର ଅଳ୍ପ କିଛିଦିନର ଆମଦାନି କରିବାକୁ ସକ୍ଷମ ହେବ। ଅନ୍ୟପକ୍ଷରେ କଡ଼ା ବିତ୍ତୀୟ ପଦକ୍ଷେପ ପାଇଁ ଆଇଏମଏଫ ସରକାରଙ୍କୁ କହୁଛି। ଏଭଳି ସ୍ଥିତିରେ ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ବହୁ ଅଧିକ ହୋଇଯାଇଛି। ପାକିସ୍ତାନକୁ ଚୀନ ସବୁଠୁ ଅଧିକ ଋଣ ପ୍ରଦାନ କରି ଆସୁଛି। କିନ୍ତୁ ଇସଲାମାବାଦକୁ ଚୀନ ପ୍ରଦାନ କରୁଥିବା ଋଣରେ ଆମେରିକା ଅସନ୍ତୋଷ ଓ ଚିନ୍ତା ବ୍ୟକ୍ତ କରିଛି। ପାକିସ୍ତାନର ମୋଟ ବିଦେଶୀ ଋଣ ୧୦୦ ବିଲିଅନ ଡଲାର। ଏଥିରୁ ପାକିସ୍ତାନ ଚୀନରୁ ପ୍ରାୟ ୩୦ ପ୍ରତିଶତ ଋଣ ଆଣିଛି। ଅଧିକାଂଶ ଋଣ ବେଜିଂର ବେଲ୍ଟ ଆଣ୍ଡ ରୋଡ୍ ପଦକ୍ଷେପ ଅଧୀନରେ ଚାଲୁଥିବା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର ପାଇଁ ଆସିଛି।