Odia News Portal

ଅର୍ଥନୈତିକ ସର୍ଭେ ୨୦୨୨-୨୩; ରାଜ୍ୟରେ ପ୍ରତି ଲକ୍ଷେ ଲୋକରେ ୧୨ ଟି ବ୍ୟାଙ୍କଶାଖା

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଗୁରୁବାର ଉପସ୍ଥାପନ କରାଯାଇଥିବା ଅର୍ଥନୈତିକ ସର୍ଭେରେ ଓଡ଼ିଶାକୁ ଏକ ସଶକ୍ତ ଏବଂ ପ୍ରଗତିଶୀଳ ରାଜ୍ୟ ଭାବେ ଚିତ୍ରିତ କରାଯାଇଛି। କୃଷି ଠାରୁ ଆରମ୍ଭ କରି କ୍ରୀଡ଼ା, ସ୍ବାସ୍ଥ୍ୟ, ଶିକ୍ଷା ଆଦି କ୍ଷେତ୍ରରେ ଓଡ଼ିଶା ଅନେକ ଅଗ୍ରଗତି ହାସଲ କରିଛି। ପ୍ରତିକୂଳ ପରିବେଶ ଦେଇ ବିଶ୍ବ ଅର୍ଥନୀତି ଗତି କରୁଛି। ଏଭଳି ସ୍ଥିତିରେ ଓଡ଼ିଶା ଅର୍ଥନୀତି ସଂପର୍କରେ ଅବତାରଣା କରାଯାଇଥିବା ତଥ୍ୟ ଏଠାରେ ଉପସ୍ଥାପନ କରାଯାଇଛି।

ବ୍ୟାଙ୍କ ଦେଇଛନ୍ତି ମୁଣ୍ଡପିଛା ୫୦,୩୪୧ ଟଙ୍କା ଋଣ, ରାଜ୍ୟ ସରକାର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରାଧାନ୍ୟ ଦେଉଛନ୍ତି। ବ୍ୟାଙ୍କ ଶାଖା ଏବଂ ଏଟିଏମ ସ୍ଥାପନ ପାଇଁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଉପରେ ଚାପ ମଧ୍ୟ ପକାଉଛନ୍ତି। ଏସବୁ ସତ୍ତ୍ବେ ଏବେ ରାଜ୍ୟରେ ପ୍ରତି ଲକ୍ଷେ ଲୋକରେ ୧୨ଟି ବ୍ୟାଙ୍କ ଶାଖା ରହିଛି। ସେହିଭଳି ପ୍ରତି ୧ ଲକ୍ଷ ଲୋକରେ ୨୧ଟି ଏଟିଏମ୍‌ ରହିଥିବା ବିଷୟ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ଓଡ଼ିଶା ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାଯାଇଛି। ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳରେ ୨୯୪୮ଟି, ଅର୍ଦ୍ଧ ସହରାଞ୍ଚଳରେ ୧୪୮୯ଟି ଏବଂ ସହରାଞ୍ଚଳରେ ୧୧୭୦ଟି ବ୍ୟାଙ୍କ ଶାଖା ରହିଛି। ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଏହା ଯଥାକ୍ରମେ ୨୮୧୪, ୧୪୨୬ ଏବଂ ୧୦୫୩ ରହିଥିଲା। ସେହିଭଳି ରାଜ୍ୟରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ୨୦୨୨ରେ ମୁଣ୍ଡପିଛା ୫୦୩୪୧ ଟଙ୍କା ଋଣ ରାଜ୍ୟରେ ପ୍ରଦାନ କରିଛନ୍ତି। ଆର୍ଥିକ ଦୁର୍ବଳ ବର୍ଗର ବ୍ୟକ୍ତିଙ୍କୁ ମୁଣ୍ଡପିଛା ଋଣ ରାଶି ୧୨୩୮୬ ଟଙ୍କା ରହିଛି। ଗ୍ରାମାଞ୍ଚଳରେ ଲୋକଙ୍କୁ ବ୍ୟାଙ୍କିଂ ସେବା ଯୋଗାଇ ଦେବା ପାଇଁ ମିସନ ଶକ୍ତି ଏସଏଚଜି ସଦସ୍ୟମାନଙ୍କୁ ବ୍ୟାଙ୍କ ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ରାଜ୍ୟ ସରକାରଙ୍କର ଏକ ପ୍ରମୁଖ ସ୍ବାସ୍ଥ୍ୟସେବା ଯୋଜନା। ଏଥିରେ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି। ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୨-୨୩ ଅନୁଯାୟୀ, ରାଜ୍ୟର ୯୬.୫ ଲକ୍ଷ ପରିବାରର ୩.୩ କୋଟିରୁ ଅଧିକ ଲୋକଙ୍କୁ ଉକ୍ତ ଯୋଜନା ପରିସରଭୁକ୍ତ କରାଯାଇଛି। ପରିବାରପିଛା ୫ ଲକ୍ଷ ଟଙ୍କାର କ୍ୟାସଲେସ୍ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଏଥିସହିତ ମହିଳାସଦସ୍ୟମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି। ଏହି ଯୋଜନାରେ ମୋଟ ୬୦୪ଟି ଡାକ୍ତରଖାନାକୁ ଅନ୍ତର୍ଭୁକ୍ତ କରାଯାଇଛି। ସେଥିରୁ ରାଜ୍ୟ ଭିତରେ ୪୯୮ଟି ଡାକ୍ତରଖାନା ଥିବାବେଳେ ରାଜ୍ୟ ବହାରର ୧୦୬ଟି ଡାକ୍ତରଖାନା ରହିଛି। ବିଏସକେୱାଇରେ ୨୦୫୬ଟି ପ୍ୟାକେଜ ରହିଛି। ମାସକୁ ପ୍ରାୟ ୯୦ ହଜାର କ୍ଲେମ ପ୍ରଦାନ କରାଯାଉଛି। ଅର୍ଥାତ୍ କ୍ୟାସଲେସ ଚିକିତ୍ସା ବାବଦରେ ରାଜ୍ୟ ସରକାର ଏ ବାବଦରେ ପ୍ରାୟ ୨୦୦ କୋଟି ଟଙ୍କା ପ୍ରତିମାସରେ ପ୍ରଦାନ କରୁଛନ୍ତି।

ସ୍ବାସ୍ଥ୍ୟ ଭଳି ସାମାଜିକ କ୍ଷେତ୍ରର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ବଜେଟରେ ସ୍ବାସ୍ଥ୍ୟ ବିଭାଗର ବ୍ୟୟବରାଦ ବଢ଼ିବାରେ ଲାଗିଛି। ୨୦୧୮-୧୯ରେ ରାଜ୍ୟର ମୋଟ ବଜେଟର ୫.୨ ପ୍ରତିଶତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଦିଆଯାଇଥିଲା। ୨୦୨୨-୨୩ରେ ଏହା ୬.୨ ପ୍ରତିଶତକୁ ବୃଦ୍ଧି ପାଇଛି। ଖର୍ଚ୍ଚ ରାଶିକୁ ଦେଖିଲେ ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ହୋଇଥିବା ବ୍ୟୟବରାଦ ଦୁଇଗୁଣାରୁ ଅଧିକ ହୋଇଛି। ୨୦୧୮-୧୯ରେ ରାଜ୍ୟ ସ୍ବାସ୍ଥ୍ୟ ବଜେଟ ୬୧୮୨ କୋଟି ଟଙ୍କା ଥିଲା। ୨୦୨୨-୨୩ରେ ଏହା ୧୨୩୪୨ କୋଟି ଟଙ୍କାରେ ପହଞ୍ଚିଛି। ବର୍ଷକୁ ୧୮.୯ ପ୍ରତିଶତ ହାରରେ ଉକ୍ତ ବ୍ୟୟ ବୃଦ୍ଧି ହୋଇଛି। ଏଥିଯୋଗୁ ସ୍ବାସ୍ଥ୍ୟ କ୍ଷେତ୍ରରେ ମୁଣ୍ଡପିଛା ବ୍ୟୟ ବଢ଼ିଛି। ୨୦୧୮-୧୯ରେ ରାଜ୍ୟରେ ମୁଣ୍ଡପିଛା ସ୍ବାସ୍ଥ୍ୟ ବ୍ୟୟ ୧୩୭୮ ଟଙ୍କା ରହିଥିଲା। ୨୦୧୯-୨୦ରେ ଏହା ୧୫୦୫ ଟଙ୍କାକୁ, ୨୦୨୦-୨୧ରେ ୧୬୯୦ ଟଙ୍କାକୁ, ୨୦୨୧-୨୨ରେ ୧୯୯୮ ଟଙ୍କାକୁ ଏବଂ ୨୦୨୨-୨୩ରେ ୨୬୭୪ ଟଙ୍କାକୁ ବୃଦ୍ଧି ପାଇଛି।