Odia News Portal

ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଡିପାରୁନି ୫୦ ବିମାନ

ପ୍ରାଟ୍‌ ଆଣ୍ଡ୍‌ ହ୍ବିଟ୍‌ନି (ପିଆଣ୍ଡ୍‌ଡବ୍ଲୁ)ର ଇଞ୍ଜିନ ଲାଗିଥିବା ୫୦ରୁ ଅଧିକ ବିମାନ ଠିଆ ହୋଇରହିଛି। ଇଞ୍ଜିନରେ ଥିବା ତ୍ରୁଟିକୁ ସେହି କଂପାନି ସଜାଡ଼ିପାରୁନାହିଁ। ସେଥିପାଇଁ ଆବଶ୍ୟକ ପାର୍ଟସ୍‌ ମଗାଇବାରେ ସମସ୍ୟା ସମ୍ନା କରୁଛି। ଯୋଗାଣ ଶୃଙ୍ଖଳରେ ବିଭ୍ରାଟ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ଏହାର ପ୍ରଭାବରେ ଭାରତର ଦୁଇ ବିମାନ କଂପାନି ଇଣ୍ଡିଗୋ ଓ ଗୋ ଫାଷ୍ଟ୍‌ର ୨୫ଟି ଲେଖାଏଁ ବିମାନ ଠିଆ ହୋଇରହିଛି। ପ୍ରାଟ୍‌ ଆଣ୍ଡ୍‌ ହ୍ବିଟ୍‌ନି ଇଞ୍ଜିନ ସମସ୍ୟା ଦୀର୍ଘଦିନରୁ ରହିଛି। ତେଣୁ ବିମାନ କଂପାନିଗୁଡ଼ିକ ବିକଳ୍ପ ବିଷୟରେ ଚିନ୍ତା କରିବା ଆରମ୍ଭ କଲେଣି। ସେମାନେ ଇଞ୍ଜିନ ଯୋଗାଣକାରୀକୁ ବଦଳାଇବା ବିଷୟରେ ମଧ୍ୟ ବିଚାର କରୁଛନ୍ତି। ଏହି ସମସ୍ୟା ସମ୍ପର୍କରେ ଇଞ୍ଜିନ ଯୋଗାଣକାରୀ ପିଆଣ୍ଡ୍‌ଡବ୍ଲୁର ପ୍ରବକ୍ତା କହିଛନ୍ତି ଯେ ସାରା ବିଶ୍ବ ଭଳି ଆମେ ମଧ୍ୟ ଯୋଗାଣ ଶୃଙ୍ଖଳ ସମସ୍ୟା ଦେଇ ଗତି କରୁଛୁ। କିଛି ପାର୍ଟସ୍‌ ମଗାଇଲେ ଠିକ୍ ସମୟରେ ପହଞ୍ଚୁନାହିଁ। ତେଣୁ ଇଞ୍ଜିନର ରକ୍ଷଣାବେକ୍ଷଣ ଓ ମରାମତି ଠିକ୍ ଭାବେ ହୋଇପାରୁନାହିଁ। ସମସ୍ୟାକୁ ଦୂର କରିବା ଲାଗି ଆମେ କାର୍ଯ୍ୟ କରୁଛୁ। ଆଉ କିଛି ମାସ ଭିତରେ ସବୁ କିଛି ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି।

ଦେଶର ସବୁଠୁ ବଡ଼ ବିମାନ କଂପାନି ଇଣ୍ଡିଗୋ ପାଖରେ ୩୦୦ରୁ ଅଧିକ ବିମାନ ରହିଛି। ସେହି ବିମାନଗୁଡ଼ିକରେ ପିଆଣ୍ଡ୍‌ଡବ୍ଲୁ ଓ ସିଏଫ୍‌ଏମ୍‌ ଭଳି ଦୁଇଟି ସଂସ୍ଥାର ଇଞ୍ଜିନ ଲାଗିଛି। ଗୋ ପାଷ୍ଟ୍‌ ପାଖରେ ୬୧ଟି ବିମାନ ଥିବା ବେଳେ ସବୁ ବିମାନରେ କେବଳ ପିଆଣ୍ଡ୍‌ଡବ୍ଲୁର ଇଞ୍ଜିନ ଲାଗିଛି।