Odia News Portal

ବିଶ୍ୱ ଅର୍ଥନୀତିରେ ଭାରତର ଯୋଗଦାନ ୧୫%

ବିଶ୍ବ ଅର୍ଥନୀତିରେ ଭାରତର ସ୍ଥିତି ଅପେକ୍ଷାକୃତ ଭାବେ ଭଲ ରହିବ। ୨୦୨୩ରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧିରେ ଭାରତର ଯୋଗଦାନ ୧୫ ପ୍ରତିଶତ ରହିବ ବୋଲି ଅନତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏମ୍‌ଡି କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି। କରୋନା ମହାମାରୀ ବେଳେ ଭାରତୀୟ ଅର୍ଥନୀତି ଯେଉଁ ସ୍ତରକୁ ଖସିଯାଇଥିଲା ଡିଜିଟାଇଜେସନ ଯୋଗୁ ସେଥିରୁ ବାହାରି ଆସିପାରିଛି। ଏହାବ୍ୟତୀତ ସରକାରଙ୍କ ବିଜ୍ଞ ବିତ୍ତୀୟ ନୀତି ଏବଂ ପୁଞ୍ଜିବ୍ୟୟ ପାଇଁ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା କରାଯିବା ଦ୍ବାରା ଭାରତର ଅଭିବୃଦ୍ଧିର ଧାରା ଆସନ୍ତା ଆର୍ଥିକ ବର୍ଷରେ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।

ଭାରତର ପ୍ରଦର୍ଶନ ଅତ୍ୟନ୍ତ ଆକର୍ଷଣୀୟ ରହିଛି। ମାର୍ଚ୍ଚରେ ଶେଷ ହେଉଥିବା ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୬.୮ ପ୍ରତିଶତ ରହିବ। ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ଅବଶ୍ୟ ସାମାନ୍ୟ ହ୍ରାସ ପାଇ ୬.୧ ପ୍ରତିଶତ ରହିବ। କିନ୍ତୁ ବିଶ୍ବର ହାରାହାରି ଅଭିବୃଦ୍ଧି ତୁଳନାରେ ଏହା ଯଥେଷ୍ଟ ଅଧିକ। ସେ ଦୃଷ୍ଟିରୁ ୨୦୨୩ର ବିଶ୍ବ ଅଭିବୃଦ୍ଧିରେ ଭାରତର ଯୋଗଦାନ ୧୫ ପ୍ରତିଶତ ରହିବ ବୋଲି ସେ କହିଛନ୍ତି। ପ୍ରମୁଖ ଅର୍ଥନୀତିଗୁଡ଼ିକ ମଧ୍ୟରେ ଭାରତର ଅଭିବୃଦ୍ଧି ସବୁଠୁ ଅଧିକ ରହିବ।

୨୦୨୨ରେ ବିଶ୍ବର ଅଭିବୃଦ୍ଧି ୩.୪ ପ୍ରତିଶତ ଥିବାବେଳେ ୨୦୨୩ରେ ଏହା ୨.୯ ପ୍ରତିଶତକୁ ହ୍ରାସ ପାଇବ। ଏଭଳି ସ୍ଥିତିରେ ଭାରତର ସ୍ଥିତି ଭଲ ରହିବ ବୋଲି ଆଇଏମଏଫ ଆକଳନ କରିଛି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ବଜେଟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।