Odia News Portal

ଦେଶରେ ଅକ୍ସିଜେନ୍ ଅଭାବ, ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ଯଥେଷ୍ଟ ମାତ୍ରାରେ ମେଡିକାଲ ଗ୍ରେଡ୍ ଅକ୍ସିଜେନ୍ ଯୋଗାଣ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ, ଡିପିଆଇଆଇଟି, ଇସ୍ପାତ, ସଡ଼କ ପରିବହନ ଆଦି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ସୁନିଶ୍ଚିତ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଜୋର୍ ଦେଇ କହିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଅକ୍ସିଜେନ ଯୋଗାଣର ବର୍ତ୍ତମାନ ସ୍ଥିତି ସହିତ ଆସନ୍ତା 15 ଦିନ ପର୍ଯ୍ୟନ୍ତ 12ଟି ଅଧିକ ସଂକ୍ରମଣ ଥିବା ରାଜ୍ୟ (ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ପଞ୍ଜାବ, ହରିୟାଣା ଓ ରାଜସ୍ଥାନ)ରେ ଏହାର ଆନୁମାନିକ ଉପଯୋଗ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହିସବୁ ରାଜ୍ୟରେ ଜିଲ୍ଲାସ୍ତରୀୟ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚୀତ କରାଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ନିୟମିତ ଯୋଗାଯୋଗ ରହିଛି ଏବଂ ଆନୁମାନିକ ଚାହିଦାର ବିବରଣୀ 20 ଏପ୍ରିଲ, 25 ଏପ୍ରିଲ ଓ 30 ଏପ୍ରିଲରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଛି। ତଦନୁସାରେ 20, 25 ଏବଂ 30 ଏପ୍ରିଲରେ ଆନୁମାନିକ ଚାହିଦା ପୂରଣ କରିବା ଲାଗି ଏହି ରାଜ୍ୟଗୁଡ଼ିକୁ ଯଥାକ୍ରମେ 4880 ମେଟ୍ରିକ ଟନ, 5619 ମେଟ୍ରିକ ଟନ ଓ 6593 ମେଟ୍ରିକ ଟନ ଅକ୍ସିଜେନ୍ ଆବଣ୍ଟନ କରାଯାଇଛି।
ବୃଦ୍ଧି ପାଉଥିବା ଚାହିଦା ପୂରଣ କରିବା ଲାଗି ଦେଶର ଉତ୍ପାଦନ କ୍ଷମତା ବଢ଼ାଇବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ପ୍ଲାଣ୍ଟର କ୍ଷମତା ଅନୁସାରେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି ନିମନ୍ତେ ପରାମର୍ଶ ଦେଇଥିଲେ। ଆଲୋଚନା ସମୟରେ, ଷ୍ଟିଲ ପ୍ଳାଣ୍ଟରେ ବ୍ୟବହୃତ ଅକ୍ସିଜେନର ବଳକା ଭାଗ ଚିକିତ୍ସା ଉପଯୋଗ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା।
ସାରା ଦେଶରେ ଅକ୍ସିଜେନ ପରିବହନ କରୁଥିବା ଟ୍ୟାଙ୍କରଗୁଡ଼ିକର ବାଧାମୁକ୍ତ ଯାତାୟାତ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ସରକାର ଅକ୍ସିଜେନ ଟ୍ୟାଙ୍କରଗୁଡ଼ିକ ସବୁପ୍ରକାରର ଆନ୍ତଃରାଜ୍ୟ ଯାତାୟାତ ପାଇଁ ପରମିଟ ପଞ୍ଜୀକରଣ କରିବାରୁ ଛାଡ଼ କରିଛନ୍ତି। ଯାହାଫଳରେ ଏଗୁଡ଼ିକର ଯାତାୟାତ ସୁଗମ ହୋଇପାରିବ। ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ ଶିଫ୍ଟରେ କାମ କରୁଥିବା ଡ୍ରାଇଭରମାନଙ୍କ ସହିତ ଟ୍ୟାଙ୍କର ଦ୍ରୁତ ଗତିରେ 24 ଘଣ୍ଟା ଚାଲିବା ସୁନିଶ୍ଚିତ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ସକାଶେ ରାଜ୍ୟ ଓ ଟ୍ରାନ୍ସପୋର୍ଟରମାନଙ୍କୁ କୁହାଯାଇଛି। ଯାହାଫଳରେ ଏଗୁଡ଼ିକ ଶୀଘ୍ର ପହଞ୍ଚି ପାରିବେ ଓ ଚାହିଦାରେ ହେଉଥିବା ବୃଦ୍ଧିକୁ ସୁନିଶ୍ଚିତ କରିପାରିବେ। ସିଲିଣ୍ଡର ଭରୁଥିବା ପ୍ଲାଣ୍ଟଗୁଡ଼ିକୁ ମଧ୍ୟ ଆବଶ୍ୟକ ସୁରକ୍ଷା ଉପାୟ ସହିତ 24 ଘଣ୍ଟା କାମ କରିବା ଲାଗି ଅନୁମତି ଦିଆଯିବ। ସରକାର ଶିଳ୍ପ ସିଲିଣ୍ଡରଗୁଡ଼ିକୁ ଉଚିତ ଉପାୟରେ ବିଶୋଧନ କରିବା ପରେ ଚିକିତ୍ସା ଅକ୍ସିଜେନ ଲାଗି ଉପଯୋଗ କରିବା ନିମନ୍ତେ ଅନୁମତି ଦେଉଛନ୍ତି। ସେହିପରି ଟ୍ୟାଙ୍କରଗୁଡ଼ିକର ସମ୍ଭାବ୍ୟ ଅଭାବକୁ ଦୂର କରିବା ଲାଗି ନାଇଟ୍ରୋଜେନ ଓ ଆର୍ଗନ ଟ୍ୟାଙ୍କରଗୁଡ଼ିକୁ ସ୍ବୟଂଚାଳିତ ଭାବେ ଅକ୍ସିଜେନ ଟ୍ୟାଙ୍କର ଭାବେ ପରିବର୍ତ୍ତିତ କରିବା ଲାଗି ଅନୁମତି ଦିଆଯିବ।
ମେଡ଼ିକାଲ ଗ୍ରେଡ ଅକ୍ସିଜେନ୍ ଆମଦାନୀ କରିବା ଲାଗି କରାଯାଉଥିବା ପ୍ରୟାସ ବିଷୟରେ ମଧ୍ୟ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।