Odia News Portal

ଆରବିଆଇର ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଇବିଆଇର ବଡ଼ ଘୋଷଣା । ଅପରିବର୍ତ୍ତିତ ରହିବ ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ମୌଦ୍ରିକ ନୀତି ସମିତି (ଏମପିସି) ବୈଠକ ଆଜି ସମାପ୍ତ ହୋଇଛି । ଏହି ବୈଠକ ଜୁନ୍ ୨ ତାରିଖରେ ଆରମ୍ଭ ହୋଇଥିବା ବେଳେ ଏହା ଆଜି ସମାପ୍ତ ହୋଇଛି । କରୋନାର ଦ୍ୱିତୀୟ ଲହରରେ ଏପ୍ରିଲ ଓ ମେ ମାସରେ ଦେଶରେ ଅନେକ ସ୍ଥାନରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଦ୍ୱାରା ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପଡିଛି । ପ୍ରତ୍ୟେକ ଦୁଇ ମାସରେ ଆରବିଆଇର ମୌଦ୍ରିକ ନୀତି ସମିତି ବୈଠକ ହୋଇଥାଏ । ଏହି ବୈଠକରେ ଅର୍ଥବ୍ୟବସ୍ଥା ଉପରେ ଆଲୋଚନା ହେବା ସହ ସୁଧ ଦରର ନିଷ୍ପତି ନିଆଯାଇଥାଏ ।

ସେହିଅନୁଯାୟୀ ଏହି ବୈଠକରେ ରେପୋ ରେଟ୍, ରଭର୍ସ ରେପୋ ରେଟ, ଏମଏସଏଫ ରେଟ ରେ କୌଣସି ପରିବର୍ତ୍ତନ କରି ନାହିଁ ଆରବିଆଇ । ରେପୋ ରେଟ ଅପରିବର୍ତ୍ତିତ ହୋଇ ୪ ପ୍ରତିଶତରେ ରହିବ । ଏମଏସଏଫ ରେଟ ଏବଂ ବ୍ୟାଙ୍କ ରେଟ ବିନା କୌଣସି ପରିବର୍ତ୍ତନ ସହିତ ୪.୨୫ ପ୍ରତିଶତ ରହିବ । ସେହିପରି ରିଭର୍ସ ରେପୋ ରେଟ ମଧ୍ୟ ଅପରିବର୍ତ୍ତିତ ହୋଇ ୩.୩୫ ପ୍ରତିଶତରେ ରହିବ । ସେଥିପାଇଁ ଇଏମଆଇରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।