Odia News Portal

ବଙ୍ଗଳା ବାକି ପର୍ଯ୍ୟାୟ ନିର୍ବାଚନ ପାଇଁ କଟକଣା

ନିରବତା ଅବଧି ୭୨ ଘଣ୍ଟାକୁ ବୃଦ୍ଧି କଲେ ଇସି

ନୂଆଦିଲ୍ଲୀ : କରୋନାର ଭୟାବହ ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ବାକି ଥିବା ୩ଟି ପର୍ଯ୍ୟାୟ ନିର୍ବାଚନ ପାଇଁ କଟକଣା ଜାରି କରାଯାଇଛି। ଏଣିକି ଭୋଟ୍ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ। ପୂର୍ବରୁ ଏହି ସମୟସୀମା ୪୮ ଘଣ୍ଟା ରହିଥିଲା। ଏଥିସହ ନିର୍ବାଚନ କମିଶନ ଦୈନିକ ପ୍ରଚାରରେ ମଧ୍ୟ କାଣ୍ଟଛାଣ୍ଟ କରିଛନ୍ତି।

ଆୟୋଗଙ୍କ ଅନୁଯାୟୀ, ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ଯାଏଁ ନିର୍ବାଚନ ପ୍ରଚାର ବନ୍ଦ ରହିବ। ଆୟୋଗ ସମସ୍ତ ପ୍ରାର୍ଥୀ ଏବଂ ରାଜନୈତିକ ପାର୍ଟିକୁ କରୋନା ଗାଇଡ୍‌ଲାଇନ୍‌ କଡାକଡି ପାଳନ କରିବାକୁ କହିଛନ୍ତି। କୌଣସି ପ୍ରକାରର ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଲିରେ ସାମିଲ ସମସ୍ତ ଲୋକଙ୍କୁ ସାନିଟାଇଜର ଓ ମାସ୍କ ଯୋଗାଇ ଦେବା ରାଲି ଆୟୋଜନକାରୀଙ୍କ ଦାୟିତ୍ଵ।

ନିର୍ବାଚନ କମିଶନ ଷ୍ଟାର ପ୍ରଚାରକ ଓ ପାର୍ଟିର ପ୍ରାର୍ଥୀ ନିଜେ ମାସ୍କ ଲଗାଇବା ସହ ମସର୍ଥକଙ୍କୁ ଏମିତି କରିବାକୁ ପ୍ରେରିତ କରିବେ। ସମର୍ଥକଙ୍କୁ ସାନିଟାଇଜର ଓ ସାମାଜିକ ଦୂରତ୍ଵ ପାଳନ କରିବାକୁ ପ୍ରାର୍ଥୀମାନେ ଅପିଲ୍ କରିବେ ବୋଲି ଆୟୋଗ କହିଛନ୍ତି।

ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆରିଜ ଅଫତାବ କରୋନାକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର ସଂପର୍କରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡକାଇଥିଲେ। ଏହା ପୂର୍ବରୁ କଲିକତା ହାଇକୋର୍ଟ ସିଇଓ ଓ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ବାଚନର ବାକି ପର୍ଯ୍ୟାୟର ପ୍ରଚାର ସମୟରେ କୋଭିଡ୍-୧୯ର ଗାଇଡ୍‌ଲାଇନ୍ ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।