Odia News Portal

ବିଜେପିରେ ମିଶିଲେ ସଞ୍ଜୀବ ସାହୁ

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ସଞ୍ଜୀବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପରସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆଠମଲ୍ଲିକରୁ ୨୦୦୯ ଏବଂ ୨୦୧୪ ମସିହାରେ ସଞ୍ଜୀବ ସାହୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏପରିକି ପ୍ୟାରୀମୋହନ ମହାପାତ୍ରଙ୍କ ଅତି ଘନିଷ୍ଠ ଭାବେ ଗଣାଯାଉଥିଲେ ସଞ୍ଜୀବ ସାହୁ । ୨୦୦୯ ମସିହାରେ ସେ ୧୮ହଜାର ୯୮୧ ଖଣ୍ଡ ଭୋଟ୍‌ରେ କଂଗ୍ରେସର ମୌସୁମୀ ପ୍ରଧାନଙ୍କୁ ପରାସ୍ତ କରିଥିଲେ । ୨୦୧୪ ମସିହାରେ କଂଗ୍ରେସର ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ୧୯ ହଜାର ୫୩୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ । ତଥାପି ୨୦୧୯ ମସିହାରେ ବିଜେଡ଼ି ସଞ୍ଜୀବଙ୍କ ବଦଳରେ ରମେଶ ଚନ୍ଦ୍ର ସାଏଙ୍କୁ ଟିକେଟ୍‌ ଦେଇଥିଲା । ଏହା ପରଠୁ ସଞ୍ଜୀବ ଅସନ୍ତୁଷ୍ଟ ଥିଲେ ।

ଶିକ୍ଷକତା ଛାଡ଼ି ରାଜନୀତିରେ ଜୀବନ ଆରମ୍ଭ କରିଥିଲେ ସଞ୍ଜୀବ । ଆରମ୍ଭରୁ ଜନତା ଦଳରେ ହିଁ ରହିଥିଲେ । ୧୯୮୮ ମସିହାରେ ସେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଜନତା ଦଳ ସଭାପତି ଥିଲେ । ୧୯୯୦ ମସିହାରେ ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲାର ଜନତା ଦଳ ଉପସଭାପତି ପଦବୀରେ ରହିଥିଲେ । ୧୯୮୪-୮୫ ମସିହାରେ ଅଙ୍ଗପଡ଼ା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ସେଥର ହିଁ କିଶୋରନଗର ବ୍ଲକର ଉପାଧ୍ୟକ ପଦବୀ ହାତେଇଥିଲେ । ୨୦୦୬ରୁ ୨୦୦୮ ମସିହା ପର୍ଯ୍ୟନ୍ତ ରାଜ୍ୟ ପଞ୍ଚାୟତିରାଜ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ)ରେ ରହିଥିଲେ । ୨୦୦୮ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣ ଶିକ୍ଷା ଏବଂ ୨୦୦୯ରୁ ୨୦୧୨ ମସିହା ପର୍ଯ୍ୟନ୍ତ ବାଣିଜ୍ୟ ଏବଂ ପରିବହନ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ । ତେବେ ୨୦୧୨ ମିଡନାଇଟ୍‌ ଅପରେସନରେ ପ୍ୟାରୀମୋହନ ମହାପାତ୍ରଙ୍କୁ ବିଜେଡ଼ିରୁ ତଡ଼ାଯିବା ପରେ ଶକ୍ତିହୀନ ହୋଇପଡ଼ିଥିଲେ ସଞ୍ଜୀବ । ତଥାପି ଦଳ ତାଙ୍କୁ ୨୦୧୪ ମସିହା​ରେ ଆଠମଲ୍ଲିକରୁ ଟିକେଟ୍‌ ଦେଇଥିଲା । ବିଧାୟକ ଥିବା ସମୟରେ ୧୨ଟି ବିଭିନ୍ନ ବିଧାନସଭା କମିଟିର ସଦସ୍ୟ ମଧ୍ୟ ରହିଥିଲେ ।