Odia News Portal

ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

 ବାରାଣସିର ଏକ ହୋଟେଲ ରୁମରୁ ଭୋଜପୁରୀ ଅଭିନେତ୍ରୀ ତଥା ମଡେଲ ଆକାଂକ୍ଷା ଦୁବେଙ୍କ ମୃତଦେହ ମିଳିଛି । ବାରାଣସିର ସାରନାଥ ସ୍ଥିତ ସୌମେନ୍ଦ୍ର ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ଆକାଂକ୍ଷାଙ୍କ ମୃତଦେହ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ଆକାଂକ୍ଷା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଉତ୍ତର ପ୍ରଦେଶ ଭଦୋହି ଜିଲ୍ଲାର ଚୌରୀ ଥାନା ଅନ୍ତର୍ଗତ ପରସିପୁରର ନିବାସୀ ଆକାଂକ୍ଷା ଦୁବେ ଜଣେ ଲୋକପ୍ରିୟ ଭୋଜପୁରୀ ଚଳଚ୍ଚିତ୍ର ଅଭିନେତ୍ରୀ ଓ ମଡେଲ ଥିଲେ ଏକ ଚଳଚ୍ଚିତ୍ରର ସୁଟିଂ ପାଇଁ ଆକାଂକ୍ଷା ବାରାଣସି ଆସିଥିଲେ।

ଚଳଚ୍ଚିତ୍ର ୟୁନିଟର‌ ଅନ୍ୟ ସଦସ୍ୟଙ୍କ ସହ ଆକାଂକ୍ଷା ଦୁବେ ମଧ୍ୟ ବାରାଣସିର ସାରନାଥ ସ୍ଥିତ ହୋଟେଲ ସୌମେନ୍ଦ୍ରରେ ରହିଥିଲେ। ଯେତେବେଳେ ରବିବାର ତାଙ୍କ ରୁମ୍ ବହୁତ ସମୟ ଧରି ବନ୍ଦ ରହିଥିଲା କିଛି ଅଘଟଣ ନେଇ ହୋଟେଲ ଷ୍ଟାଫ୍ ସନ୍ଦେହ କରିଥିଲେ । ସେମାନେ ଏନେଇ ଫିଲ୍ମ ୟୁନିଟର ଲୋକଙ୍କୁ ଜଣାଇଥିଲେ । ପରେ ଫିଲ୍ମ ୟୁନିଟର ଲୋକ ଏବଂ ହୋଟେଲ ଷ୍ଟାଫ୍ ମିଶି ଆକାଂକ୍ଷା ଦୁବେଙ୍କ ରୁମ୍ କବାଟ ଖୋଲିବା ପରେ ଭିତରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ।

ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ପୋଲିସ ତଦନ୍ତ କରୁଛି । ସେପଟେ ତାଙ୍କ ବୟଫ୍ରେଣ୍ଡ୍ ତଥା ଭୋଜପୁରୀ ଅଭିନେତା ସମର ସିଂହଙ୍କ ରବିବାର ସକାଳୁ ପତ୍ତା ମିଳୁନଥିବା ଜଣାପଡ଼ିଛି । ତାଙ୍କ ମୋବାଇଲ ମଧ୍ୟ ସୁଇଚ୍ ଅଫ୍ ରହିଛି।