Odia News Portal

ନଭେମ୍ବରରେ ବିବାହ କରିବେ ହ୍ରିତିକ ରୋଶନ ଓ ଅଭିନେତ୍ରୀ ସବା ଆଜାଦ

ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ପରସ୍ପରକୁ ଡେଟ୍ କରୁଥିବା ଗ୍ରହଣ କରିଥିଲେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଓ ଅଭିନେତ୍ରୀ ସବା ଆଜାଦ। ପ୍ରେମ ସମ୍ପର୍କ ଥିବା ନେଇ ଖୁଲାସା କରିବା ପରେ ଏବେ ଦୁହେଁ ବିବାହ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି।

ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ ହ୍ରିତିକ ଏବଂ ସବା ଚଳିତ ବର୍ଷ ଶେଷରେ ଅର୍ଥାତ ନଭେମ୍ବରରେ ବିବାହ କରିବେ। ଏହି ଖବର ବିଷୟରେ ହ୍ରିତିକଙ୍କ ବାପ‌ା ରାକେଶ ରୋଶନଙ୍କୁ ପଚରାଯାଇଥିବା ବେଳେ ସେ କହିଛନ୍ତି, ହ୍ରିତିକ ଓ ସବାଙ୍କ ବିବାହ ବିଷୟରେ ମୁଁ କିଛି ଜାଣିନାହିଁ। ସେମାନେ ନଭେମ୍ବରରେ ବିବାହ କରୁଥିବା ନେଇ ମୋ ପାଖରେ କୌଣସି ସୂଚନା ନାହିଁ।

ଏହା ପୂର୍ବରୁ ହ୍ରିତିକ ଏବଂ ସବାଙ୍କର ଜଣେ ଘନିଷ୍ଠ ବନ୍ଧୁ ବଲିଉଡ ହଙ୍ଗାମାଙ୍କୁ ସୂଚନା ଦେଇଥିଲେ ଯେ, ଉଭୟ ଏବେ ପରସ୍ପର ସହ ଖୁସିରେ ଅଛନ୍ତି। ଏକାଠି ଜୀବନ ଉପଭୋଗ କରୁଛନ୍ତି। ଏହି ସମ୍ପର୍କକୁ ଉଭୟଙ୍କ ପରିବାର ମଧ୍ୟ ପସନ୍ଦ କରୁଛନ୍ତି। ହ୍ରିତିକଙ୍କ ପିଲାମାନେ ମଧ୍ୟ ସବାଙ୍କ ସହ ହ୍ରିତିକଙ୍କ ସମ୍ପର୍କକୁ ଗ୍ରହଣ କରିଛନ୍ତି। ଆମେ ଅନେକ ଥର ଦେଖିଛୁ ଯେ ସବା, ହ୍ରିତିକ ଏବଂ ତାଙ୍କ ପୁଅମାନଙ୍କ ସହିତ ଛୁଟି କଟାଇବାକୁ ଯାଇଛନ୍ତି। ହ୍ରିତିକଙ୍କ ଦୁଇ ପୁଅ ସବାଙ୍କୁ ପସନ୍ଦ କରୁଥିବା ବେଳେ ତାଙ୍କୁ ନିଜର ଭଲ ବନ୍ଧୁ ବୋଲି ଭାବନ୍ତି। ଏବେ ସମସ୍ତେ ଦୁହିଁଙ୍କୁ ନେଇ ଖୁସି ଥିବାରୁ ସବା-ହ୍ରିତିକ ବିବାହ କରିବା ବିଷୟ ଚିନ୍ତା କରୁଛନ୍ତି। ବର୍ଷ ଶେଷକୁ ଦୁହେଁ ବିବାହ କରିବା ସହ ବିବାହ ବଡ଼ ଆକାରରେ ହେବ ନାହିଁ। ଉଭୟଙ୍କ ପରିବାର ଓ ଘନିଷ୍ଠ ବନ୍ଧୁ ଏଥିରେ ସାମିଲ ହେବେ।