Odia News Portal

‘ବାହୁବଲୀ-୨’ର ରେକର୍ଡ ଭାଙ୍ଗିଲା ‘ପଠାନ’ର ୩୮ ଦିନର ରୋଜଗାର

ଅଭିନେତା ଶାହାରୁଖ୍‌ ଖାନ୍‌ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ୍‌’ର ଜଲୱା ଥମିବାର ନାଁ ଧରୁନି। ଏହି ଫିଲ୍ମ ପରେ ପରେ କାର୍ତ୍ତିକ ଆର୍ଯ୍ୟନଙ୍କ ‌‘ଶେହଜାଦା’ ଓ ଅକ୍ଷୟ କୁମାରଙ୍କ ‘ସେଲ୍‌ଫି’ ରିଲିଜ୍‌ ହୋଇ ମାଡ଼ ଖାଇଯାଇଛି। କିଙ୍ଗ୍‌ଖାନ୍‌ଙ୍କ ଲୋକପ୍ରିୟତା ଆଗରେ ନିଜର ସ୍ଥିତି ବନାଇ ପାରିନାହାନ୍ତି କାର୍ତ୍ତିକ ଓ ଅକ୍ଷୟ।

ଏହା ମଧ୍ୟରେ ଫିିଲ୍ମର ୩୮ ଦିନର ରୋଜଗାର ରିପୋର୍ଟ ସାମ୍ନାକୁ ଆସି ସାରିଛି। ଚଳଚ୍ଚିତ୍ରଟି ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲୀଙ୍କ ‘ବାହୁବଲୀ-୨’କୁ ପଛରେ ପକାଇ ଶାହାରୁଖଙ୍କ ‘ପଠାନ୍‌’ ନୂଆ ରେକର୍ଡ ସୃଷ୍ଟି କରିଛି। ‘ପଠାନ୍‌’ ସବୁଠାରୁ ଅଧିକ ରୋଜଗାର କରିଥିବା ହିନ୍ଦୀ ସିନେମା ବନିବାରେ ସଫଳ ହୋଇଛି।

ଚଳଚ୍ଚିତ୍ରଟିର ଶୁକ୍ରବାରର ବକ୍ସ ଅଫିସ୍‌ କଲେକ୍ସନ ସାମ୍ନାକୁ ଆସିସାରିଛି। ‘ପଠାନ୍‌’ ହିନ୍ଦୀ ଭାଷାରେ ବିଶ୍ବ ସ୍ତରରେ ୫୧୧.୭୫ କୋଟିର ବେପାର କରିଥିବା ବେଳେ ସର୍ବ ଭାରତୀୟ ଭାଷାରେ ୫୨୯.୪୪ କୋଟି ଟଙ୍କା ରୋଜଗାର କରିଛି। ସେହି ପରି ବିଶ୍ବ ସ୍ତରରେ ଚଳଚ୍ଚିତ୍ରଟିର ପୂରା କଲେକ୍ସନ ୧୦୨୯ କୋଟି ଟଙ୍କା ହୋଇଯାଇଛି।

‘ପଠାନ’ର ଚାହିଦା କେବଳ ଭାରତ ନୁହେଁ, ବରଂ ଦୁନିଆ ସାରା ରହିଛି। ଭାରତୀୟ ବକ୍ସ ଅଫିସ ପରି ବିଦେଶରେ ବି ଫିଲ୍ମଟି ଦର୍ଶକଙ୍କ ମନ ମୋହିଛି । ତେବେ ଫିଲ୍ମ ‘ପଠାନ’ ଜାନୁଆରି ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ଏହାର ସ୍କ୍ରିନ ସଂଖ୍ୟା ଆହୁରି ୩୦୦କୁ ବଢ଼ାଇ ଦିଆଯାଇଥିଲା। ଏବେ ଫିଲ୍ମକୁ ମିଳୁଥିବା ଭଲପାଇବାକୁ ଦେଖି ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ‘ପଠାନ-୨’ ନିର୍ମାଣ ନେଇ ଘୋଷଣା କରିଛନ୍ତି।