Odia News Portal

କରୋନା କଟକଣାକୁ ମାନି ଡଙ୍ଗା ଭସାଇଲେ ଲୋକେ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କରୋନା କଟକଣା ସତ୍ୱେ ଲୋକେ ବିଭିନ୍ନ ସ୍ଥାନରେ ଡ଼ଙ୍ଗା ଭସାଇବାର ଚିତ୍ର ଦେଖିବାକୁ ମିଳିଛି । ଲୋକେ ପରିବାର ସହିତ ଏଭଳି ଡଙ୍ଗା ଭସାଉଛନ୍ତି, ଯାହାକୁ ଦେଖିଲେ ଲାଗୁନି ଯେ ଆଉ କରୋନାର ପ୍ରଭାବ ଅଛି । କଟକ ସହରରେ ସର୍ବସାଧାରଣ ଡଙ୍ଗାଭସା ଉପରେ କଟକଣା ଲାଗିଥିବା ବେଳେ ଏହାକୁ କେହି ମାନୁ ଥିବାର ଜଣାପଡ଼ୁନାହିଁ। ରାସ୍ତାଘାଟରେ ଲୋକଙ୍କ ପ୍ରବଳ ଜନଗହଳି ମଧ୍ୟ ସକାଳୁ ସକାଳୁ ପରିଲକ୍ଷିତ ହୋଇଛି । କେବଳ ମହାନଦୀ ବା କାଠଯୋଡ଼ି ନଦୀରେ ନୁହେଁ, ବରଂ ସାହିରେ ଥିବା ଜଳାଶୟରେ ବି ଡଙ୍ଗା ଭସାଇବାକୁ ଭିଡ଼ ଲଗାଇଛନ୍ତି । ଅପରପକ୍ଷରେ ରାଜଧାନୀ ଭୁବନେଶ୍ବରରେ ବିନ୍ଦୁସାଗରରେ ବି ଲୋକେ ଡଙ୍ଗା ଭସାଇଛନ୍ତି । କୁଆଖାଇ ନଦୀ ଘାଟ ଗୁଡ଼ିକରେ ୧୪୪ ଧାରା ଲାଗିଛି। ଡ଼ଙ୍ଗା ଭସାଇବାକୁ ମନା କରାଯାଇଛି । ରାତି ୩ଟାରୁ ପୁଲିସ ଜଗିଥିଲେ ବି କିଛି ଦୁରରେ ଥିବା ନଦୀ କୂଳରେ ଲୋକେ ଡ଼ଙ୍ଗା ଭସାଇଛନ୍ତି । ସେହିପରି ପୁରୀରେ ସମୁଦ୍ରକୂଳରେ ମଧ୍ୟ ଲୋକେ କଟକଣା ନମାନି ଡ଼ଙ୍ଗା ଭସାଇଥିବା ଦେଖିବାକୁ ମିଳିଛି । ତେବେ ଅନେକ ସ୍ଥାନରେ ଡଙ୍ଗାଭସା ଫିକା ପଡ଼ିଥିବା ଜଣାଯାଇଛି । କରୋନା କଟକଣା ଭିତରେ ରାଜ୍ୟରେ କେତେକ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି । ଭଦ୍ରକର ଜଗନ୍ନାଥପୁର ମହାବୀର ଘାଟ ଓ ବାଉଡପୁରର ସାଳନ୍ଦୀ ନଦୀଘାଟରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି ।