Odia News Portal

ଭକ୍ତ ଦେଖିବେ ଭଗବାନଙ୍କ ନୂଆ ରୂପ

ପ୍ରଗତି ପଥରେ ଆଗେଇ ଚାଲିଛି ଶ୍ରୀକ୍ଷେତ୍ରର ରୂପରେଖ। ଦେଖିବାକୁ ମିଳିଛି ବହୁ ପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର ର ଝଲକ। କିଭଳି ଭାବେ ଶ୍ରୀମନ୍ଦିର ଚୌହଦୀ ରୂପରେଖ ବଦଳାଯିବ, ତା’ର ଚିଠା ଡିଜାଇନ୍ ୨୦୧୯ରେ ପ୍ରସ୍ତୁତ କରାଯାଇଥିଲା। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚିଠା ଡିଜାଇନ୍ ର ଲୋକାର୍ପିତ କରିଥିଲେ।

ଡିଜାଇନରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ନବକଳେବର ରୂପ ଦେଖିବାକୁ ମିଳିଥିଲା। ଏହି ଡିଜାଇନରେ ଆଖି ଝଲସିଲା ପରି ସୌନ୍ଦର୍ଯ୍ୟକରଣର ଚିତ୍ର ଉପସ୍ଥାପନ କରାଯାଇଥିଲା। ସବୁଠି ଶ୍ରୀଜଗନ୍ନାଥ କଳା ସଂସ୍କୃତି ଓ ପ୍ରାଚୀନ ଓଡ଼ିଆ କଳାର ଝଲକ ରହିଥିଲା। ଏହି ଡିଜାଇନ ଆଧାରରେ ଶ୍ରୀମନ୍ଦିର ଚୌହଦୀରେ ଦେଖିବାକୁ ମିଳିବ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ଦଶାବତାରର ଚିତ୍ର ଓ ଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ସମ୍ପର୍କରେ ଅନେକ ତଥ୍ୟ। ଏହି ଡିଜାଇନରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପାଖରେ ଅତି ପ୍ରଶସ୍ତ ପରିକ୍ରମା ମାର୍ଗ, ମାର୍ଗ କଡ଼ରେ ସୃଷ୍ଟି ହେବ ସବୁଜ ବଳୟ। ଭକ୍ତମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ରହିବ। ଯାତ୍ରୀମାନଙ୍କ ହାତ ପାଦ ପ୍ରକ୍ଷାଳନ ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା,ଉପଯୁକ୍ତ ଆଲୋକ, ସିସିଟିଭି ବ୍ୟବସ୍ଥା ସହ ପିଇବା ପାଣି ଓ ଶୌଚାଳୟର ବି ବିକାଶ କରାଯିବ। ରଥଚକଡ଼ାରେ ଆକର୍ଷଣୀୟ ଝୋଟି ଚିତା, ଭକ୍ତ ଉପଯୋଗୀ ନୂଆ ବ୍ୟାରିକେଡ୍, ପଥଚାରୀଙ୍କ ପାଇଁ ବଡ଼ଦାଣ୍ଡ ରେ ସ୍ଵତନ୍ତ୍ର କରିଡର, ଆଲୋକମାଳାରେ ସୁସଜ୍ଜିତ ହେବ ମେଘନାଦ ପାଚେରି ।