Odia News Portal

78ତମ ଭୁବନେଶ୍ବର ପ୍ରତିଷ୍ଠା ଦିବସ ପାଳନ: ମନ କିଣିଲା ଲେଜର ସୋ’, ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ

78 ତମ ରାଜଧାନୀ ପ୍ରତିଷ୍ଠା ଦିବସ ଗତକାଲି (ସୋମବାର) ବେଶ୍ ଧୁମ୍‌ଧାମରେ ପାଳିତ ହୋଇଯାଇଛି । ସୋମବାର ସନ୍ଧ୍ୟାରେ ଏହି ଅବସରରେ ଏକ ସାନ୍ଧ୍ୟ ଅଧିବେସନର ଆୟୋଜନ କରାଯାଇଥିଲା । ଏହି ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୧୩ ଜଣ ପ୍ରତିଭାଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ କର୍ପୋରେଟରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଇଲେକ୍ଟ୍ରୋନିକ୍ସ ଆତସବାଜି ସହିତ ଆକର୍ଷଣୀୟ ଲେଜର ଶୋ’ ମଧ୍ୟ ଆୟୋଜିତ ହୋଇଥିଲା । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା ପାଇକଙ୍କ ଆକର୍ଷଣୀୟ ପାଇକ ଖେଳ ଓ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।13 ଜଣଙ୍କୁ ରାଜଧାନୀ ଗୌରବ ପୁରସ୍କାର:
ଏହି ଅବସରରେ 13 ଜଣ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ପୁରସ୍କାର ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ବିଶିଷ୍ଟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର, ଶିଶୁରୋଗ ବିଶେଷଜ୍ଞ ବିଶ୍ୱଜିତ୍ ମିଶ୍ର ପ୍ରଭୃତି ରହିଥିଲେ । ଏହା ବ୍ୟତୀତ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ପରେଡରେ ଅଂଶ ଗ୍ରହଣ କରିଥିବା ଉଚ୍ଚ ମାଧ୍ୟମିକ ଓ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ବିଦ୍ୟାଳୟଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ମହର୍ଷି ମହାବିଦ୍ୟାଳୟର ଡେୟାର ଡେଭିଲ ଓ କଳିଙ୍ଗ ସ୍କେଟିଂ ଏକାଡେମୀର ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟସ୍ତରରେ ହୋଇଥିବା ନୃତ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କ ମଧ୍ୟ ପୁରସ୍କୃତ କରାଯାଇଥିଲା ।ରାଜଧାନୀ ଅତୀତର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସହର । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଦିଆଯାଇଥିବା ସେବା ସମ୍ମାନ ସଭିଁଙ୍କୁ ଆଗକୁ ବଢିବା ପାଇଁ ନିଶ୍ଚୟ ପ୍ରେରଣା ଦେବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ସାନ୍ଧ୍ୟ ଅଧିବେସନ ଓ କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ମେୟର ସୁଲୋଚନା ଦାସ, କମିଶନର ଚଞ୍ଚଳରାଣା ପ୍ରମୁଖ ଉପସ୍ଥିତ ଥିଲେ ।ରାଜଧାନୀର ସ୍ମୃତିକୁ ନେଇ ଫଟୋ ପ୍ରଦର୍ଶନୀ: ୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ନୂଆ ଓ ପୁରୁଣା ଭୁବନେଶ୍ୱରର ଐତିହ୍ୟ ସହିତ ଅନେକ ଅଭୁଲା ସ୍ମୃତି ଫଟୋକୁ ନେଇ ଜୟଦେବ ଭବନରେ ଏକ ଫଟୋ ଚିତ୍ର ପଦର୍ଶନୀ ଆୟୋଜିତ ହୋଇଥିଲା । ଏହା ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ଓ ବିଏମସି ଦ୍ୱାରା ଆୟୋଜିତ ହୋଇଥିଲା । ବାଚସ୍ପତି ସୁରମା ପାଢୀ ଏହାକୁ ଉଦ୍‌ଘାଟନ କରିବା ସହିତ ବୁଲି ଦେଖିଥିଲେ ।