Odia News Portal

ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ

ଅବପାତର ରୂପ ନେଲା ଲଘୁଚାପ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ଅବପାତରେ ପରିଣତ ହୋଇଛି । ବାରିପଦାଠାରୁ ପ୍ରାୟ ୧୯୦ କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ପଶ୍ଚିମବଙ୍ଗ ଦେଇ ଝାଡ଼ଖଣ୍ଡ ମୁହାଁ ହେବାର ସମ୍ଭାବନା ରହିଛି ।ଏହାର ପ୍ରଭାବରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବ୍ୟାପକ ବର୍ଷା ଜାରି ରହିବ । ଆଗାମୀ ଦୁଇ ଦିନ ଧରି ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ଆଜି ସୁନ୍ଦରଗଡ଼ ଓ କେନ୍ଦୁଝରରେ ଅତିଭୀଷଣ ବର୍ଷାର ସମ୍ଭାବନା ଥିବାରୁ ଉଭୟ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୧୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ଆଉ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।