Odia News Portal

ଆଜି ସାବିତ୍ରୀ ବ୍ରତ, ସ୍ବାମୀଙ୍କ ଦୀର୍ଘାୟୂୁ କାମନା କରି ବ୍ରତ ରଖନ୍ତି ମହିଳା

 ଶଙ୍ଖା ବଜ୍ର ହେଉ, ସ୍ବାମୀ ଦୀର୍ଘାୟୁ ହୁଅନ୍ତୁ । ଏପରି ଢଙ୍ଗରେ ସ୍ବାମୀଙ୍କ ମଙ୍ଗଳ ମନାସୀ ସ୍ତ୍ରୀ କରେ ସାବିତ୍ରୀ ବ୍ରତ । ଏଥିପାଇଁ ଆଜି ଓଡ଼ିଶାରେ ଗାଁଠୁ ସହର ଚଳଚଞ୍ଚଳ ହୋଇଛି । ସବୁଠି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଘରଠାରୁ ମନ୍ଦିର ସବୁଠି ମନ୍ତ୍ରପାଠ ସହ ଶଙ୍ଖ ହୁଳୁହୁଳିରେ ପ୍ରକମ୍ପିତ ହେଉଛି । ହିନ୍ଦୁ ଧର୍ମରେ ପ୍ରତ୍ୟେକ ମହିଳା ଏହି ସାବିତ୍ରୀ ଅମାବାସ୍ୟାରେ ଉପବାସ ରହି ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା ପାଇଁ ବ୍ରତ ପାଳନ କରିଥାନ୍ତି । ବ୍ରତଧାରୀ ମହିଳାମାନେ ନୂଆ ଶାଢ଼ୀ ପିନ୍ଧି, ସାବିତ୍ରୀ ପୂଜା ସଂପର୍କିତ ବ୍ରତ ଥାଳି ଧରି ପୂଜାର୍ଚ୍ଚନା କରୁଛନ୍ତି ।ପରମ୍ପରା ଅନୁଯାୟୀ ଭଉଣୀ ଚାହିଁ ରହିଥାଏ ବାପା ଘରୁ ଆସିବ ଅମାବାସ୍ୟା ଯୋଗାଡ଼ । ଭାଇର ଆସିବା ବାଟକୁ ଭଭଣୀ ଅପେକ୍ଷା କରିଥାଏ, କେତେବେଳେ ଅମାବାସ୍ୟା ଯୋଗାଡ଼ ଶାଶୁ ଘରେ ପହଞ୍ଚିବ ।ମହିଳାମାନେ ନୂଆ ଶାଢ଼ୀ ପରିଧାନ କରିବା ସହ ୨୧ ପ୍ରକାରର ଫଳ ଅର୍ଥାତ ନଡ଼ିଆ, କଦଳୀ, ସେଓ, ସପୁରୀ, ଆମ୍ବ , ପଣସ, ତାଳ ଓ ଖଜୁରୀ ଆଦି ବିଭିନ୍ନ କିସମର ଫଳମୂଳ ଭୋଗ ନେଇ ପୂଜା କରିଥାନ୍ତି । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିବା ପାଇଁ ଏହି ଭୋଗ ଥାଳିରେ ନୂଆ ଶାଢୀ, କଳା ଚୁଡି, ଶଙ୍ଖା, ସିନ୍ଦୂର ଆଦି ରହିଥାଏ ।ମାନସିକଧାରୀ ମହିଳାମାନେ ନୂଆ ଶାଢୀ ପିନ୍ଧି ପାଦରେ ଅଳତା, ହାତରେ ମେହେନ୍ଦୀ ଲଗାଇ, ନବବଧୂ ଭଳି ସଜେଇ ହୋଇଥାନ୍ତି । ଏହାପରେ ମନ୍ଦିରରେ ଦୀପ ଜାଳିବା ସହ ପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରି ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରନ୍ତି । ପରେ ପୂଜା ବ୍ରତ ଓ ନୂଆ ଶାଢୀ ପୂଜା କରି ଆଣିବା ପରେ ଏହାକୁ ପିନ୍ଧି ସ୍ବାମୀଙ୍କ ଆଶୀର୍ବାଦ ଗ୍ରହଣ କରନ୍ତି । କେହିକେହି ସାବିତ୍ରୀ ବ୍ରତ ନିଜ ଦକ୍ଷିଣ ବାହୁରେ ଧାରଣ ପୂର୍ବକ ସ୍ୱାମୀଙ୍କ ଦୀର୍ଘ ଜୀବନ ମନାସିଥାନ୍ତି ।ପୌରାଣିକ ମତ ଅନୁସାରେ ସାବିତ୍ରୀଙ୍କ ନିଜ ସ୍ବାମୀ ସତ୍ୟବାନଙ୍କ ପୁନଃ ଜୀବନ ପ୍ରାପ୍ତି ହିଁ ମହିଳାମାନଙ୍କୁ ପ୍ରେରଣା ଯୋଗାଇଥାଏ । ନିଜର ସ୍ବାମୀଙ୍କ ପ୍ରତି ନିଷ୍ଠା ବଳରେ କାଳ ମୁଖରୁ ନିଜର ସ୍ବାମୀଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ ।ସାବିତ୍ରୀ ବ୍ରତ ବିଶେଷ ଭାବରେ ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ଦିଅଁ ପୂଜିଥାନ୍ତି ଓଡ଼ିଆ ଘରର ମହିଳାମାନେ । ଏପରିକି ସ୍ଵାମୀଙ୍କର ନିରାମୟ ଜୀବନ କାମନା କରି ଏହା ପାଳିଥାନ୍ତି । କିନ୍ତୁ ଏହି ପରମ୍ପରାକୁ ଦୀର୍ଘ ବର୍ଷ ଧରି ଆପଣାଇଛନ୍ତି କିନ୍ନର ସମାଜ । ନିଜ ଗୁରୁ ଓ ପ୍ରିୟଜନଙ୍କ ମଙ୍ଗଳ କାମନା ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି । କିନ୍ନର ସମ୍ପ୍ରଦାୟର ମାଆ ଭଉଣୀମାନେ ସକାଳୁ ସକାଳୁ ଗାଧୋଇ ନୂଆ ବସ୍ତ୍ର ପରିଧାନ କରି ନିଜେ ବଧୂ ବେଶ ଧାରଣ କରି ହାତରେ ଧରିଥାନ୍ତି ଭୋଗ ଥାଳି । ଆଉ ଥାଳିରେ ରହିଥାଏ ବିଭିନ୍ନ ପ୍ରକାରର ଫଳ, ବ୍ରତ ଓ ପୂଜା ସାମଗ୍ରୀ ।