ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ବିଫଳ ହେବା ଆଶଙ୍କା ବଢ଼ିଛି। ହର୍ମୁଜ୍ ପ୍ରଣାଳୀକୁ ପୁଣି ଖୋଲିବା ପାଇଁ ଆମେରିକା ଆଗରେ ଇରାନ ରଖିଛି ୭ଟି କଠୋର ସର୍ତ୍ତ। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ସ୍ପଷ୍ଟ କରିଛି ଯେ, ଆମେରିକା ନିଜ ଆଚରଣରେ ପରିବର୍ତ୍ତନ ନଆଣିବା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ଖୋଲାଯିବ ନାହିଁ। ଏହି ଦାବି ଯୋଗୁଁ ହର୍ମୁଜ୍ ଖୋଲିବା ନେଇ ଚାଲିଥିବା ଆଲୋଚନା ଆହୁରି ଜଟିଳ ହୋଇପାରେ।
ଇରାନର ସରକାରୀ ଟିଭିରେ ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ତଥା ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କୋର୍ପସର କମାଣ୍ଡର ମହମ୍ମଦ ବାକର ଜୋଲଘାଦଜରଙ୍କ ବିବୃତି ପ୍ରସାରିତ ହୋଇଛି। ଜୋଲଘାଦଜର କହିଛନ୍ତି, ପରିଷଦ ନିଜ ଦାବିରୁ ପଛକୁ ହଟିବ ନାହିଁ। ଆଲୋଚନା ହେଉ କିମ୍ବା ଯୁଦ୍ଧ—ଦାବି ପୂରଣ ପାଇଁ ଇରାନ ଆବଶ୍ୟକ ସମସ୍ତ ପଦକ୍ଷେପ ନେବ।
ତେବେ ହର୍ମୁଜ୍ ଖୋଲିବା ପାଇଁ ଇରାନର ୭ଟି ସର୍ତ୍ତ କ’ଣ?
ପ୍ରଥମ—ଆମେରିକା ଆଉ କେବେ ଇରାନକୁ ଧମକ ଦେବ ନାହିଁ।
ଦ୍ୱିତୀୟ—ଇରାନ ଏବଂ ଏହି ଅଞ୍ଚଳରେ ତାହାର ସହଯୋଗୀମାନଙ୍କ ବିରୋଧରେ ଚାଲିଥିବା ଯୁଦ୍ଧ ଶେଷ କରିବାକୁ ହେବ।
ତୃତୀୟ—ଇରାନର ବନ୍ଦରଗୁଡ଼ିକ ଉପରେ ଆମେରିକା ଲଗାଇଥିବା ଅବରୋଧ ହଟାଇବାକୁ ହେବ।
ଚତୁର୍ଥ—ଆମେରିକାକୁ ଏହି ଅଞ୍ଚଳରୁ ନିଜ ସୈନ୍ୟ ପ୍ରତ୍ୟାହାର କରିବାକୁ ପଡ଼ିବ।
ପଞ୍ଚମ—ଯୁଦ୍ଧ ଯୋଗୁଁ ଇରାନର ହୋଇଥିବା କ୍ଷତି ପାଇଁ ଆମେରିକାକୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦେବାକୁ ହେବ।
ଷଷ୍ଠ—ଇରାନ ବିରୋଧରେ ଲାଗୁ ହୋଇଥିବା ସମସ୍ତ କଟକଣା ହଟାଇବାକୁ ହେବ।
ଏବଂ ସପ୍ତମ—ଜବତ କରାଯାଇଥିବା ଇରାନୀ ସମ୍ପତ୍ତିକୁ ନିଃସର୍ତ୍ତରେ ମୁକ୍ତ କରିବାକୁ ହେବ।
ଇରାନର ଏହି ୭ଟି କଠୋର ସର୍ତ୍ତ ଆଗାମୀ ଆଲୋଚନାର ଦିଗ କେଉଁଆଡ଼େ ଯିବ, ତାହା ଉପରେ ଏବେ ସମଗ୍ର ବିଶ୍ୱର ନଜର।
