Odia News Portal

ଐତିହ୍ୟ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଅପରାଜିତା

ଲିଙ୍ଗରାଜ ମନ୍ଦିରରୁ କେଦାରଗୌରୀ ପର୍ଯ୍ୟନ୍ତ ପଦଯାତ୍ରା

ଭୁବନେଶ୍ୱର: ମନ୍ଦିର ମାଳିନୀ ସହରର ଐତିହ୍ୟ ଓ କିର୍ତିରାଜିର ସୁରକ୍ଷା ଓ ବିକାଶ ପାଇଁ ଭୁବନେଶ୍ୱର ସାଂସଦଙ୍କ ପଦଯାତ୍ରା । ଲିଙ୍ଗରାଜ ମନ୍ଦିରରୁ କେଦାରଗୌରୀ ଯାଏ ଏହି ପଦଯାତ୍ରା କରାଯାଇଛି । ୧୯୫୮ ଆମସାର୍ ଆଇନ୍ ଅଧିନରେ ଏକାମ୍ର କ୍ଷେତ୍ରର ବିକାଶ କାମ ପାଇଁ ଦାବି କରି ଆସୁଛନ୍ତି ଅପରାଜିତା । ପୂର୍ବରୁ ବାଏ-ଲକୁ ନେଇ ଭିନ୍ନମତ ପୋଷଣ କରିଆସିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ, ଯାହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି |

ଅଣରାନୈତିକ ସଂଗଠନ ସମର୍ଥ ପକ୍ଷରୁ ଆୟୋଜିତ ଐତିହ୍ୟ ପଦଯାତ୍ରାରେ ଯୋଗଦେଇ ଅପରାଜିତା କହିଛନ୍ତି, ସମର୍ଥ ହେଉଛି ଏକ ଅଣରାଜନୈତିକ ସଂସ୍ଥା। ଆମେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନେଇ ଆସିନାହୁଁ। ସମସ୍ତେ ଆମର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବିତ ମନେ କରନ୍ତି। ଆମ ରାଜ୍ୟ ହେଉଛି ମଠ ଓ ମନ୍ଦିରର ରାଜ୍ୟ। ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ ନ କରି ବିକାଶ କରାଯିବାକୁ ସମସ୍ତେ ଚାହାନ୍ତି। ବିକାଶକୁ କେହି ବିରୋଧ କରୁନାହାନ୍ତି। ବିକାଶର କୌଣସି ଦଳ ନଥାଏ। ସାଂସଦ ଭାବେ ମୁଁ ସର୍ବଦା ବିକାଶ ପାଇଁ କାମ ଚଳାଇଛି। ମଠ ଓ ମନ୍ଦିରକୁ ନେଇ ସୌନ୍ଦର୍ଯ୍ୟକରଣ କରିବା ଦରକାର।

ଅପରାଜିତା ଆହୁରି କହିଛନ୍ତି, ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଐତିହ୍ୟର ସୁରକ୍ଷା ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱରରେ ମଠ, ମନ୍ଦିର ଓ ଐତିହ୍ୟ କିପରି ସୁରକ୍ଷିତ ରହିବ ସେନେଇ ଜନସଚେତନତା ସୃଷ୍ଟି କରିବା ଲାଗି ଏହି ଐତିହ୍ୟ ପଦଯାତ୍ରା କରାଯାଉଛି। ପ୍ରଥମ ଦିନରେ ଲିଙ୍ଗରାଜ ମନ୍ଦିରରୁ କେଦାର ଗୌରୀ ମନ୍ଦିର ଯାଏ ଐତିହ୍ୟ ପଦଯାତ୍ରା ହୋଇଛି। ତେବେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି ହେରିଟେଜ୍ ଓ୍ୱାକ୍ ଚାଲିବ ବୋଲି ସେ କହିଛନ୍ତି।