Odia News Portal

ଓଡ଼ିଶା ପାରା ବ୍ୟାଡ୍‌ମିଣ୍ଟନ୍ ଖେଳାଳିଙ୍କ କମାଲ: ବିଶ୍ୱ ଯୁବ କ୍ରୀଡ଼ାରେ ଜିତିଲେ ୬ ପଦକ

ଭୁବନେଶ୍ୱର: ବିଶ୍ୱ କ୍ରୀଡ଼ା ମଞ୍ଚରେ ପୁଣି ଉଡ଼ିଲା ଓଡ଼ିଶାର ବିଜୟ ବାନା। ସୁଦୂର ବିଦେଶ ମାଟିରେ ଆୟୋଜିତ ବିଶ୍ବ ଆବିଲିଟିସ୍ପୋର୍ଟ ଯୁବ କ୍ରୀଡ଼ାରେ ଓଡ଼ିଶାର ଦୁଇ ପ୍ରତିଭାବାନ ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ ଏବଂ ବିଭାସିନ୍ଧୁ ବାରିକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନିଜର ଶ୍ରେଷ୍ଠ ପ୍ରଦର୍ଶନ ଜରିଆରେ ଉଭୟ ମୋଟ ୬ଟି ପଦକ ହାସଲ କରି ଦେଶ ତଥା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି।

​ଏହି ସଫଳତା ପରେ ଆଜି ଦୁଇ ତାରକା ଖେଳାଳି ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀଙ୍କ ଦ୍ଵାରା ଉଷ୍ଣ ସ୍ୱାଗତ କରାଯାଇଛି। ବିମାନ ବନ୍ଦରରେ ଏକ ଆନନ୍ଦର ମାହୋଲ ଦେଖିବାକୁ ମିଳିଥିବା ବେଳେ କ୍ରୀଡ଼ାପ୍ରେମୀ ଓ ବିଭାଗୀୟ ଅଧିକାରୀମାନେ ଉଭୟଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଖେଳାଳିଙ୍କ ଏହି ସଫଳତା ଆଗାମୀ ଦିନରେ ଓଡ଼ିଶାର ଅନ୍ୟ ପାରା ଆଥଲେଟ୍‌ମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ। ।