Odia News Portal

ଜେରା ବେଳେ ସିବିଆଇ ଅଧିକାରୀଙ୍କ ଉପରେ ଆକ୍ରମଣ

ଢେଙ୍କାନାଳ : ଢେଙ୍କାନାଳରେ ସିବିଆଇ ଟିମ୍କୁ ମାଡ଼ ମାରିଲେ ଉତ୍ତ୍ୟକ୍ତ ଗାଁ ଲୋକେ । ଶିଶୁଙ୍କୁ ଯୌନ ଶୋଷଣ ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଗାଁ ଲୋକେ ଆକ୍ରମଣ କରିଥିଲେ । ଏପରି ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି। ସିବିଆଇ ଅଧିକାରୀଙ୍କ ଉଦ୍ଧାର କରିବାକୁ ଯାଇ ପୁଲିସ ମଧ୍ୟ ନାକେଦମ୍ ହୋଇଥିବା ଦେଖିବାକୁ ମିଳିଛି। ଆଜି ସକାଳ ୭ଟା ବେଳେ ଟାଉନ ଥାନା କଲୋନୀ ସାହିର ବାସିନ୍ଦା ସୁରେନ୍ଦ୍ର ନାଏକଙ୍କ ଘରେ ପହଞ୍ଚିଥିଲେ ଦିଲ୍ଲୀ ଓ ଭୁବନେଶ୍ୱରର ୮ ଜଣିଆ ସିବିଆଇ ଟିମ୍। ସେମାନେ ନିଜକୁ ସିବିଆଇ ଟିମ୍ର ପରିଚୟ ମଧ୍ୟ ଦେଇଥିଲେ। ଏହା ପରେ ସିବିଆଇ ଟିମ୍ ସୁରେନ୍ଦ୍ରଙ୍କୁ ଗୋଟିଏ ଘରେ ଜେରା କରୁଥିଲା। ସକାଳ ପ୍ରାୟ ୭ଟାରୁ ଅପରାହ୍ନ ପର୍ୟ୍ୟନ୍ତ ଜେରା କରିଥିଲେ। ସୁରେନ୍ଦ୍ରଙ୍କୁ ସେମାନେ ଛାଡ଼ୁନଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଗାଁ ଲୋକେ ଏନେଇ ଟାଉନ୍ ଥାନାକୁ ଖବର ଦେଇଥିଲେ।
ଟାଉନ୍ ଥାନା ପୁଲିସ ପହଞ୍ଚିବା ପୂର୍ବରୁ ଗାଁ ଲୋକେ ଘର ଭିତରୁ ସିବିଆଇ ଅଧିକାରୀଙ୍କୁ ଘୁଷାରି ଆଣିଥିଲେ। ସେମାନଙ୍କୁ ଟଣା ଘୋଷରା କରିଥିଲେ। ଏପରିକି ସେମାନଙ୍କୁ ଠେଙ୍ଗାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାହାଫଳରେ ରେଡ୍ କରିବାକୁ ସିବିଆଇ ଅଧିକାରୀ ନାକେଦମ୍ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଆକ୍ରୋଶରୁ ସିବିଆଇ ଅଧିକାରୀଙ୍କୁ ପୁଲିସ ଉଦ୍ଧାର କରିଥିଲା।
ମିଳିଥିବା ସୂଚନା ମୁତାବକ ଦୁଇ ମାସ ତଳେ ସୁରେନ୍ଦ୍ର ନାଏକ ଦେଶୀ ଏମ୍ଏମ୍ଏସ୍ ନାମକ ୱେବସାଇଟ୍ରେ ସଦସ୍ୟ ହୋଇଥିଲେ। ସେଥିରେ ଆସୁଥିବା ଅଶ୍ଲୀଳ ଭିଡିଓକୁ ଡାଉନ୍ଲୋଡ୍ କରି ନିଜେ କ୍ରିଏଟ୍ କରିଥିବା ହ୍ୱାଟ୍ସଆପ୍ ଗ୍ରୁପ୍ ଓ ଅନ୍ୟାନ୍ୟ ୱେବସାଇଟ୍ରେ ଅପ୍ଲୋଡ୍ କରୁଥିଲେ। ସେଠାରେ ଯିଏ ଯେତେ ଭିଡ଼ିଓ ଦେଖିବ, ସେହି ହିସାବରେ ଟଙ୍କା ମିଳୁଥିଲା। ଦୁଇ ମାସରେ ତାଙ୍କୁ ୨୧ ଡଲାର (୨୦୦୦ ଟଙ୍କା ପାଖାପାଖି) ମିଳିଥିଲା।
ଆଜି ସୁରେନ୍ଦ୍ରଙ୍କୁ ସିବିଆଇ ଟିମ୍ ମାରାଥନ୍ ଜେରା କରିଥିଲା। କେମିତି ସେହି ୱେବସାଇଟ୍ ବିଷୟରେ ଜାଣିବାକୁ ପାଇଲ? କେବେଠାରୁ ସେହି ଗ୍ରୁପ୍ରେ ସାମିଲ ହେଲ? ନୂଆକରି ତିଆରି କରିଥିବା ହ୍ୱାଟ୍ସଆପ୍ରେ ଗ୍ରୁପ୍ରେ କେତେ ସଦସ୍ୟ ଅଛନ୍ତି? ଏଥିରୁ କେତେ ଟଙ୍କା ମିଳିଛି? ଏମିତି ଅନେକ ପ୍ରଶ୍ନ ସୁରେନ୍ଦ୍ରଙ୍କୁ ପଚରା ଯାଇଥିବା ସେ କହିଛନ୍ତି। ସିବିଆଇ ଟିମ୍ ତାଙ୍କଠାରୁ ଗୋଟିଏ ମୋବାଇଲ୍ ଜବତ କରିଛି। ଯେଉଁ ମୋବାଇଲ୍ରେ ସୁରେନ୍ଦ୍ର ଅଶ୍ଲୀଳ ଭିଡିଓ ଗୁଡ଼ିକ ଡାଉନ୍ଲୋଡ୍ ଓ ଅପ୍ଲୋଡ୍ କରୁଥିଲେ।
ସେପଟେ ସିବିଆଇ ଟିମ୍ ଭଦ୍ରକ ଓ ଯାଜପୁରରେ ଚଢ଼ଉ କରିଛି। ଯାଜପୁର ମାସୁଦପୁର ଗାଁର ଅନୀଲ ମାଝୀ ଓ ଭଦ୍ରକ ଆଗରପଡ଼ାର ମନୋରଂଜନ ଦାସଙ୍କ ଘରେ ରେଡ୍ କରିଛି। ଉଭୟଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିବା ଜଣାପଡ଼ିଛି।
ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲାରେ ଆଜି ସିବିଆଇ ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ତଦନ୍ତ କରାଯାଉଛି। ଏହାସହ ମୋଟ୍ ୭୬ଟି ଅଞ୍ଚଳରେ ସର୍ଚ୍ଚ କରିବା ସହ ଖୋଳତାଡ଼ କରିଛି ସିବିଆଇ। ଓଡ଼ିଶା ଛଡ଼ା ଦିଲ୍ଲୀ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ବିହାର, ତାମିଲନାଡ଼ୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ ଓ ହିମାଚଳପ୍ରଦେଶରେ ଏହି ଯାଞ୍ଚ କରାଯାଇଛି।
ଅନ୍ଲାଇନ୍ରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା। ୨୩ଟି ଭିନ୍ନ ଭିନ୍ନ ମାମଲାରେ ୮୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ସିବିଆଇ।