Odia News Portal

ଦୁର୍ଗାପୂଜା ମଣ୍ଡପରେ ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ

କୋଲକାତାର ଏକ ଦୁର୍ଗାପୂଜା ମଣ୍ଡପରେ ମହିଷାସୁର ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିବାଦ ବଢ଼ିବାରୁ ଏହି ଦୁର୍ଗାପୂଜାର ଆୟୋଜକ ‘ହିନ୍ଦୁ ମହାସଭା’ କହିଛି ଯ ଏହା କେବଳ ଏକ ସଂଯୋଗ। ତେବେ ଏହି ସଂଗଠନ କହିଛି, ସ୍ୱାଧୀନତା ଆନ୍ଦୋଳନରେ ତାଙ୍କ ଭୂମିକା ପାଇଁ ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା କରାଯିବା ଉଚିତ ।

ଅଖିଲ ଭାରତୀୟ ହିନ୍ଦୁ ମହାସଭାର ପଶ୍ଚିମବଙ୍ଗ ଶାଖାର କାର୍ଯ୍ୟରତ ସଭାପତି ଚନ୍ଦ୍ରଚୂଡ ଗୋସ୍ୱାମୀ ଗଣମାଧ୍ୟମକୁ କହିଛନ୍ତି, “ମୁଣ୍ଡରେ କେଶ ନଥିବା ଏବଂ ଚଷମା ପିନ୍ଧିଥିବା ବ୍ୟକ୍ତି ଗାନ୍ଧୀ ନୁହଁନ୍ତି। ଅସୁରର ହାତରେ ଢାଲ ଅଛି। ଗାନ୍ଧୀ କେବେ ବି ତାଙ୍କ ପାଖରେ ଢାଲ ରଖିନଥିଲେ। ଏହା କେବଳ ଏକ ସଂଯୋଗ ଯେ ଆମ ‘ଅସୁର’, ଯାହାର ମା ଦୁର୍ଗା ସଂହାର କରୁଛନ୍ତି, ଗାନ୍ଧୀଙ୍କ ପରି ଦେଖାଯାଉଛି | ଅନେକ କହିଛନ୍ତି ଯେ ଏହା ଗାନ୍ଧୀଙ୍କ ପରି ଦେଖାଯାଉଛି। ତେବେ ଏହା ବି ସତ ଯେ ଗାନ୍ଧୀଙ୍କୁ ସମାଲୋଚନା କରାଯିବା ଉଚିତ୍।”

ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଜୋର୍ ଧରିଛି। ତୃଣମୂଳ କଂଗ୍ରେସ (ଟିଏମସି) ଏବଂ କଂଗ୍ରେସ ସମେତ ସବୁ ଦଳ ମହାତ୍ମା ଗାନ୍ଧୀଙ୍କୁ ‘ମହିଷାସୁର’ ଭାବେ ପ୍ରଦର୍ଶିତ କରିବାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ଟିଏମସି କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ କୁନାଲ ଘୋଷ ଏହାକୁ ‘ଅଭଦ୍ରାମିର ପରାକାଷ୍ଠା” ବୋଲି କହିଛନ୍ତି। କୁନାଲ ଘୋଷ କହିଛନ୍ତି, ଏହା ହେଉଛି ବିଜେପିର ପ୍ରକୃତ ଚେହେରା। ବାକି ଯାହା ସେମାନେ କରନ୍ତି କେବଳ ଡ୍ରାମା ମାତ୍ର | ମହାତ୍ମା ଗାନ୍ଧୀ ଜାତିର ପିତା, ସମଗ୍ର ବିଶ୍ୱ ଗାନ୍ଧୀ ଏବଂ ତାଙ୍କ ଆଦର୍ଶକୁ ସମ୍ମାନ କରନ୍ତି। ମହାତ୍ମା ଗାନ୍ଧୀଙ୍କ ପ୍ରତି ଏପରି ଅପମାନ ଗ୍ରହଣୀୟ ନୁହେଁ। ଆମେ ଏହାକୁ ଦୃଢ ବିରୋଧ କରୁଛୁ।

ଅପରପକ୍ଷରେ ଦୁର୍ଗା ପୂଜା ମଣ୍ଡପରେ ଗାନ୍ଧୀଙ୍କୁ ‘ଅସୁର’ ଭାବରେ ଚିତ୍ରଣ ପାଇଁ ସିପିଆଇ-ଏମ ବିଜେପି ଏବଂ ହିନ୍ଦୁ ମହାସଭା ସଂଗଠନକୁ ଟାର୍ଗେଟ କରିଛି। ସିପିଆଇ-ଏମ କେନ୍ଦ୍ରୀୟ କମିଟି ସଦସ୍ୟ ସାମିକ ଲାହିରି କହିଛନ୍ତି, “ଏହା ହେଉଛି ବିଜେପି ଏବଂ ସଂଘ ପରିବାରର ଅସଲ ଚେହେରା। ସେମାନେ କେବଳ କିପରି ଦେଶକୁ ବିଭାଜନ କରିବେ ଜାଣିଛନ୍ତି। ସେମାନେ ବ୍ରିଟିଶ ବିରୋଧୀ ବାହିନୀକୁ ‘ଅସୁର’ ଏବଂ ବ୍ରିଟିଶମାନଙ୍କୁ ମା ଦୁର୍ଗା ବୋଲି ବିବେଚନା କରନ୍ତି।