Odia News Portal

ପଦାରେ ପଡ଼ିଲା ଖୋର୍ଦ୍ଧା ବିଜେପିର ଗୋଷ୍ଠୀ କନ୍ଦଳ

ଖୋର୍ଦ୍ଧା ଜିଲ୍ଲାରେ ବିଜେପିର ଗୋଷ୍ଠି କନ୍ଦଳ ଏବେ ଡାଣ୍ଡରେ ପଡ଼ି ହାଟରେ ଗଡ଼ିଛି । ବୋଲଗଡ଼ ବେଗୁନିଆର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ମଧ୍ୟରେ ଚାଲୁଥିବା ଶୀତଳ ଯୁଦ୍ଧ ଚରମ ସୀମାରେ ପହଞ୍ଚଛି । ପ୍ରକାଶ ରଣବିଜୁଳିଙ୍କ ଗାଡ଼ିକୁ ଆକ୍ରମଣ କଲେ ଜଗଦେବଙ୍କ ସମର୍ଥକ । ମଣ୍ଡି ସମସ୍ୟାକୁ ନେଇ ଛତ୍ରପଡ଼ାର ୪୦ ରୁ ୫୦ କିଛି ଚାଷୀଙ୍କୁ ନେଇ ଇଜଉଝ କାର‌୍ୟ୍ୟଳୟକୁ ଯାଇଥିଲେ ପ୍ରକାଶ ରଣବିଜୁଳି । ସେଠାରୁ ବାହାରିବା ପରେ ପ୍ରକାଶ ୪ରୁ ୫ଜଣ ଦୁର୍ବୁତ୍ତ ଘେରିଯାଇ ନମସ୍କାର ପକେଇଥିଲେ । ଆଉ ଫୋନ ହାତକୁ ବଢ଼େଇ ଆପଣ କଥା ହୁଅନ୍ତୁ ବୋଲି କହିଥିଲେ । ଫୋନରେ ଥିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ । ରଣବିଜୁଳିଙ୍କ କହିବା ଅନୁସାରେ କଥା ଆରମ୍ଭରୁ ଫୋନର ଆରପଟରୁ ଧମକ ଦେଇଥିଲେ ପ୍ରଶାନ୍ତ ଜଗଦେବ । କହିଥିଲେ ତୁ ଆଉ ବୋଲଗଡ଼ ବେଗୁନିଆ ଯିବୁନି । ଏହାପରେ ଜଗଦେବଙ୍କ ସମର୍ଥକ କୁଆଡ଼େ ନିଆଁ ଲଗେଇ ପୋଡ଼ି ମାରିଦେବକୁ ଧମକ ଦେଇଥିଲେ । ସାର୍ଟ କଲର ଧରି ଟଣାଓଟରା କରିଥିଲେ ଓ ଗାଡ଼ି କାଚ ଭାଙ୍ଗିଦେଇଥିବାର ଅଭିଯୋଗ କରିଛନ୍ତି ପ୍ରକାଶ ରଣବିଜୁଳି ।
ରଣବିଜୁଳି ବାଇଟ୍‌
ତେବେ ଖୋର୍ଦ୍ଧା ଜିଲ୍ଲାରେ ବିଜେପିର ଗୋଷ୍ଠି କନ୍ଦଳ କିଛି ଦିନ ହେବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗୋଟେ ପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରଶାନ୍ତ ଜଗଦେବ ଏବଂ ଅନ୍ୟ ପଟେ ବୋଲଗଡ଼ ବେଗୁନିଆର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି । ବେଗୁନିଆ ବ୍ଲକରେ ଅପରାଜିତା ଏବଂ ଜଗଦେୱ ମାମଲାତିକୁ ବିରୋଧ କରୁଛନ୍ତି ରଣବିଜୁଳି । ବ୍ଲକରେ କାମ ବାଣ୍ଟିବାକୁ ନେଇ ସିଧା ସାଂସଦଙ୍କୁ ଟାର୍ଗେଟ ସେ କରିଥିଲେ । ବେଗୁନିଆ ବ୍ଲକରେ ଏମପି କାହିଁକି ମୁଣ୍ଡଖେଳାଉଛନ୍ତି । ସେ ପାର୍ଲାମେଣ୍ଟ କଥା ନବୁଝି ବ୍ଲକରେ କାହିଁକି କାମ ବିକ୍ରି କରୁଛନ୍ତି ବୋଲି ବିଡିଓଙ୍କୁ ଧମକାଉଥିବା ଅଡିଓ ଭାଇରଲ ହୋଇଥିଲା ।

ସୂଚନାଯୋଗ୍ୟ ଯେ କିଛି ଦିନ ହେବ ବୋଲଗଡ଼ ବେଗୁନିଆରେ ପ୍ରଶାନ୍ତ ଜଗଦେବ ଉପସ୍ଥିତି ଅଧିକ ଦେଖିବାକୁ ମିଳୁଛି । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବୋଲଗଡ଼ ବେଗୁନିଆ କାର‌୍ୟ୍ୟକ୍ରମରେ ଜଗଦେବ ମଞ୍ଚ ସେୟାର କରୁଛନ୍ତି । ପ୍ରକାଶ ରଣବିଜୁଳି ସେଠାରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ସାଂସଦ ମଞ୍ଚ ଉପରେ ସିଧା ସଳଖ ଜଗଦେବଙ୍କୁ ପ୍ରଶଂସାରେ ପୋତୁଛନ୍ତି । ଯେଉଁଥିପାଇଁ ପାଇଁ ବିଜେପି ସଂଗଠନ ଦୁଇଫାଳ ହେଉଥିବାର ଚର୍ଚ୍ଚା ହେଉଛି ।