ପରକୀୟା ପ୍ରୀତି ସନ୍ଦେହରେ ସ୍ୱାମୀର ଉନ୍ମକ୍ତ କାଣ୍ଡ । ସ୍ତ୍ରୀ ଉପରକୁ ଗୁଳିମାଡ଼ କରି ହତ୍ୟା ଉଦ୍ୟମ କରିଛି ସ୍ବାମୀ । ଗୁଳିମାଡରୁ ଅଳ୍ପକେ ବର୍ତ୍ତି ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଯାଜପୁରର କୋରେଇ ଥାନା ଅନ୍ତର୍ଗତ ପୂର୍ବକୋଟ ଅଞ୍ଚଳରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।ଯାଜପୁର ଏସଡିପିଓ ଶରତ ଚନ୍ଦ୍ର ପାତ୍ରଙ୍କ ସୂଚନା ଅନୁସାରେ, ଗତ 1 ତାରିଖ ଦିନ ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀ ମାଇକେଲ ନାଗରାଜ ତାଙ୍କୁ ଗୁଳି କରି ହତ୍ୟା କରିବା ପାଇଁ ଉଦ୍ଯମ କରିଥିଲେ । ଏନେଇ ମହିଳା ଜଣଙ୍କ କୋରେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସ୍ ନମ୍ବର 168ରେ ମାମାଲା ରୁଜୁ ହୋଇ ଥାନା ଅଧିକାରୀଙ୍କ ନେତୃତ୍ବରେ ତଦନ୍ତ ଆରମ୍ଭ ହୋଇଥିଲା । ସେପଟେ ଘଟଣା ପରେ ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ଘଟଣାସ୍ଥଳକୁ ଯାଇ ମାଇକେଲ ନାଗରାଜକୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲା ।ଏଥିସହ ଏସଡିପିଓ ଶରତ ଚନ୍ଦ୍ର ପାତ୍ର କହିଛନ୍ତି, “ଯାଜପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । କୋରେଇ IICଙ୍କ ନେତୃତ୍ବରେ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ମାଇକେଲ ନାଗରାଜକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ନାଗରାଜ ପାଖରୁ ଏକ ବନ୍ଧୁକ ସହ ଖୋକା ଓ ମାଗାଜିନ ଜବତ କରାଯାଇଛି । ହତ୍ୟା ଉଦ୍ୟମ, ଜୀବନରୁ ମାରିଦେବାକୁ ଧମକ ଦେବା ଓ ବନ୍ଧୁକ ରଖିବା ଅଭିଯୋଗରେ ମାମଲା ରୁଜୁ ହୋଇଛି ।”ସୂଚନା ଅନୁସାରେ ନାଗରାଜ ବାହାର ରାଜ୍ୟରେ ଚୋରି ଓ ଛିନ୍ତାଇ ମାମଲା ସହ ଜଡ଼ିତ ଥିଲା । ସ୍ତ୍ରୀ ଉପରେ ପରକୀୟା ପ୍ରୀତି ସନ୍ଦେହ କରି ଧମକ ଦେବା ସହ ଗୁଳି ମାଡ କରିଥିଲା । ସୌଭାଗ୍ୟ ବଶତଃ ମହିଳା (ନାଗରାଜଙ୍କ ପତ୍ନୀ) ଜଣଙ୍କ ବଞ୍ଚିଯାଇ କୋରେଇ ଥାନାରେ ଅଭିଯୋଗ କରିଥିଲେ ।
