Odia News Portal

ବିଶ୍ୱକପ୍ କ୍ରିକେଟରେ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ରେକର୍ଡ

ବିଶ୍ୱକପ୍ କ୍ରିକେଟରେ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ରେକର୍ଡ । ଆଫଗାନିସ୍ତାନ ବିପକ୍ଷ ଦ୍ବିତୀୟ ମ୍ୟାଚରେ ଭାରତର ବୃହତ୍ତ ବିଜୟ।  ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ବୁଧବାର ଦିନ ଆଫଗାନିସ୍ତାନ ବିପକ୍ଷରେ ବିଜୟ ହାସଲ କରିଛି । ଅତିଥି ଟିମକୁ ଭାରତ ୮ ୱିକେଟରେ ପରାସ୍ତ କରିଛି।  ବିସ୍ପୋରକ ବ୍ୟାଟିଂ କରି ଆଜିର ଶତକକୁ ମିଶାଇ ବିଶ୍ୱକପରେ ସର୍ବାଧିକ ସାତଟି ସେଞ୍ଚୁରୀ ହାସଲ କରିଛନ୍ତି ରୋହିତ ଶର୍ମା। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ରେ ଆଫଗାନିସ୍ତାନ ପକ୍ଷରୁ ମିଳିଥିବା ୨୭୩ ରନର ବିଜୟ ଲକ୍ଷ୍ୟକୁ ଭାରତ ୩୫ ଓଭରରେ ୨ ୱିକେଟ ହରାଇ ପୂରା କରିଛି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରୋହିତ ମାତ୍ର ୬୩ ବଲ୍‌ରେ ଶତକ ହାସଲ କରିଥିଲେ। ବିଶ୍ୱକପରେ ଭାରତ ପକ୍ଷରୁ ଏହା ସର୍ବନିମ୍ନ ବଲରେ ଶତକ ବୋଲି କୁହାଯାଉଛି। ଆରମ୍ଭରୁ ଆକ୍ରମଣାତ୍ମକ ଭାବେ ଖେଳି ଆଫଗାନ ବୋଲରଙ୍କୁ ପ୍ରେସରରେ ପକାଇଥିଲେ ଭାରତର କ୍ୟାପଟେନ ତଥା ଷ୍ଟାର ଓପନର ରୋହିତ ଶର୍ମା ।  ସେ ୮୪ଟି ବଲ୍‌ ଖେଳି ୧୬ଟି ଚୌକା ଓ ୫ଟି ଛକା ସହିତ ବ୍ୟକ୍ତିଗତ ଭାବେ ୧୩୧ ରନ୍‌ ସଂଗ୍ରହ କରିଥିଲେ। ହେଲେ ମ୍ୟାଚରେ ରୋହିତ ମାତ୍ର ୬୩ ବଲ୍‌ରେ ଶତକ ହାସଲ କରିଥିଲେ। ଭାରତର ବିଜୟକୁ ହିଟ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ଚମତ୍କାର ପ୍ରଦର୍ଶନ ସହଜ କରି ଦେଇଛି। ଏଥି ସହିତ ରୋହିତ ବିଶ୍ବକପ୍‌ ଇତିହାସରେ ସର୍ବାଧିକ ୭ଟି ଶତକ ପୂରା କରିଛନ୍ତି। ତାଙ୍କ ପୂର୍ବରୁ ବିଶ୍ବ ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକର ୬ଟି ଶତକ ମାରିଛନ୍ତି। କିନ୍ତୁ କାଲିର ମ୍ୟାଚରେ ରୋହିତ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ତେନ୍ଦୁଲକର ୬ଟି ବିଶ୍ୱକପ ଖେଳି ଏହି ଉପଲବ୍ଧି ହାସଲ କରିଥିବାବେଳେ ରୋହିତ ମାତ୍ର ୩ଟି ବିଶ୍ୱକପ୍‌ ଖେଳି ତେନ୍ଦୁଲକରଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି |  ରୋହିତଙ୍କ ବ୍ୟତୀତ ଭାରତର ଅନ୍ୟତମ ପ୍ରାରମ୍ଭିକ ଖେଳାଳି ଈଶାନ କିଶନ ବ୍ୟକ୍ତିଗତ ଭାବେ ୪୭ ରନ୍‌ କରିଥିଲେ। ସେ ୪୭ଟି ବଲ୍‌ ଖେଳି ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ଭାରତର ପାଳିକୁ ଶେଷ କରିଥିଲେ ବିରାଟ କୋହଲି ଓ ଶ୍ରେୟସ ଆୟର। କୋହଲି ୫୬ଟି ବଲ୍‌ ଖେଳି ୬ଟି ଚୌକା ବଳରେ ୫୫ ରନ୍‌ ସଂଗ୍ରହ କରିଥିବା ବେଳେ ଶ୍ରେୟସ ୨୩ଟି ବଲ୍‌ରୁ ୨୫ ରନ୍‌ ସଂଗ୍ରହ କରିଥିଲେ।