Odia News Portal

ବିଶ୍ୱକର୍ମା ପୂଜାକୁ ନେଇ ଜୋରଦାର ପ୍ରସ୍ତୁତି

ଗୁରୁବାର ପୂଜାପାଇବେ ଦେବଶିଳ୍ପୀ ବିଶ୍ୱକର୍ମା । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ । ଦେଢ ଫୁଟରୁ ଆରମ୍ଭକରି ୭ ଫୁଟ ଉଚ୍ଚର ମୂର୍ତ୍ତି ବଜାରରେ ଆସ୍ଥାନ ଜମେଇଛନ୍ତି । କିଏ ଘର ଗ୍ୟାରେଜର ପୂଜା ପାଇଁ ଛୋଟ ମୂର୍ତ୍ତି ନେଉଛନ୍ତି ତ କିଏ କାର୍ଯ୍ୟାଳୟ ପାଇଁ ନେଉଛନ୍ତି । ସେଥିପାଇଁ ବଜାରରେ ପୂରା ଗହଳି । ଯନ୍ତ୍ର ଦେବତା ବିଶ୍ୱକର୍ମାଙ୍କୁ ମୁଖ୍ୟତଃ କଳ କାରଖାନା, ଇଞ୍ଜିନିଅରିଂ କଲେଜ ଓ କାର୍ଯ୍ୟାଳୟରେ ପୂଜା କରାଯାଉଥିଲା । ହେଲେ ଗତ କିଛିବର୍ଷ ହେବ ଏହି ପୂଜା ସାର୍ବଜନୀନ ହୋଇଗଲାଣି । ଯାହା ଘରେ ଦୁଇଚକିଆ କିମ୍ବା ଚାରିଚକିଆ ଗାଡ଼ି ଏକାଧିକ ଅଛି ସେମାନେ ମଧ୍ୟ ଘରେ ଦେବଶିଳ୍ପୀଙ୍କୁ ନିଷ୍ଠାର ସହ ଆବାହନ କରି ପୂଜା କରୁଛନ୍ତି । ସେଥିପାଇଁ ମୂର୍ତ୍ତି କାରିଗରଙ୍କର ମଧ୍ୟ ବେଶ୍ ଭଲ ଲାଭ ହେଉଛି । ବିଶେଷ କରି ଭୁବନେଶ୍ୱର କେତେକ ପ୍ରତିଷ୍ଠିତ ମୂର୍ତ୍ତି କାରିଗରଙ୍କଠାରୁ ଲୋକମାନେ ୮ ଦିନ ଆଗରୁ ବରାଦି ଦେଇ ରଖୁଛନ୍ତି ୧୫୦ ଟଙ୍କାରୁ ଆରମ୍ଭ କରି ୫୦୦୦ ଟଙ୍କା ପର୍ଯ୍ୟନ୍ତ ବଜାରରେ ବିଶ୍ୱକର୍ମାଙ୍କ ମୂର୍ତ୍ତି ବିକ୍ରି ହେଉଛି । ରସୁଲଗଡ଼, ଭଗବାନପୁର, ମଞ୍ଚେଶ୍ୱର, ଚନ୍ଦକା, ଇନୋଫୋସିଟିରେ ଥିବା ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ପୂଜାକୁ ବେଶ୍ ଆଡ଼ମ୍ବର ଆକାରରେ କରାଯାଇଥାଏ । ପୁରୁଣା ଭୁବନେଶ୍ୱରର ମୂର୍ତ୍ତି କାରିଗର ଅରୁଣ ମହାପାତ୍ର କହନ୍ତି, ଗତ କିଛି ବର୍ଷ ହେବ ବହୁଳ ମାତ୍ରାରେ ଘରେ ପୂଜାପାଉଛନ୍ତି ବିଶ୍ୱକର୍ମା । ଲୋକମାନେ ୮ ଦିନ ଆଗରୁ ନିଜ ପସନ୍ଦର ମୂର୍ତ୍ତି ପାଇଁ ବରାଦି ଦେଇଯାଉଛନ୍ତି । ଚଳିତ ବର୍ଷ ଛୋଟ ବଡ଼ ମିଶାଇ ପ୍ରାୟ ୧୧୦୦ରୁ ଅଧିକ ବିଶ୍ୱକର୍ମା ମୂର୍ତ୍ତି ଆମେ ତିଆରି କରିଛୁ । ପୁଣି ଆସନ୍ତା ରବିବାର ଭାଲୁକୁଣୀ ଓଷାର ଶେଷ ପାଳି ଥିବାରୁ ପ୍ରାୟ ୨୫ଟା ବଡ଼ ମୂର୍ତ୍ତି ନିର୍ମାଣ ଚାଲିଛି । ସେଥିପାଇଁ ଆମ ହାତକୁ ମଧ୍ୟ ତର ନାହିଁ । ଏଥିପାଇଁ ୪୪ ଜଣ କାରିଗର ମଧ୍ୟ ନିୟୋଜିତ ଅଛନ୍ତି