ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ହିଂସା । ମଙ୍ଗଳବାର ଆତ୍ମସମର୍ପଣ କରିଥିବା ମାଓ ନେତାଙ୍କ ପରିବାରର ୩ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲା ପେଦ୍ଦାକୋରାମ୍ ଗାଁର ଜଣେ ଛାତ୍ର ସହ ୩ ଜଣକୁ ହତ୍ୟା କରି ଫେରାର ହୋଇଯାଇଛନ୍ତି ନକ୍ସଲ । ମୃତକ ହେଉଛନ୍ତି ଝିଣ୍ଡୁ ମୋଡିୟମ, ସୋମା ମୋଡିୟମ ଏବଂ ଅନିଲ ମାଣ୍ଡବି ।
ମଙ୍ଗଳବାର ଅପରାହ୍ନରେ ସଶସ୍ତ୍ର ନକ୍ସଲ ପେଦ୍ଦାକୋରାମ ଗାଁରେ ପହଞ୍ଚିଥିଲେ । ଆତ୍ମସମର୍ପଣ କରିଥିବା ଦିନେଶ ମୋଡିୟମଙ୍କ ଘରକୁ ଯାଇଥିଲେ । ଦିନେଶକୁ ଖୋଜିଥିଲେ । ଦିନେଶ ଘରେ ନଥିବା ପରିବାର ଲୋକେ କହିଥିଲେ । ନକ୍ସଲ ଏଥିରେ ରାଗିଯାଇ ପରିବାର ଲୋକଙ୍କୁ ପ୍ରଥମେ ମାରପିଟ୍ କରିଥିଲେ । ଦିନେଶକୁ ପୁଲିସ ଇନଫର୍ମର କହିବା ସହ ସେ ନକ୍ସଲ ସଙ୍ଗଠନକୁ ଭାଙ୍ଗିବାକୁ ଚେଷ୍ଟା କରିଛି ଏବଂ ତାକୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି କହିଥିଲେ । ପରେ ପରିବାରର ଲୋକଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା କରିଥିଲେ । ଏତିକିରେ ନକ୍ସଲଙ୍କର ରାଗ ଶାନ୍ତ ହୋଇନଥିଲା ଯେ, ଗାଁର ୭ ଜଣକୁ ମଧ୍ୟ ନିସ୍ତୁକ ମାଡ ମାରିବା ପରେ ଚେତାବନୀ ଦେଇ ଛାଡିଥିଲେ । ଗାଁର ୧୨ରୁ ଅଧିକ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିବା ମଧ୍ୟ ସୂଚନା ମିଳିଛି। ଏମାନଙ୍କୁ ଜଙ୍ଗଲରେ ପ୍ରଜାକୋର୍ଟରେ ହାଜର କରାଯିବ ବୋଲି କୁହାଯାଇଛି । ଖବର ପାଇ ପୁଲିସ ଏବଂ ଯବାନ ଗାଁକୁ ଘେରିବା ସହ ଅପରେସନକୁ ଜୋରଦାର କରାଯାଉଛି ।
ଏପଟେ ଆନ୍ଧ୍ର ପୁଲିସକୁ ବଡ ସଫଳତା । ଆଲୁରି ସୀତାରାମରାଜୁ ଜିଲ୍ଲା ମାରେଡମଲ୍ଲୀ ଜଙ୍ଗଲରେ ଏନକାଉଣ୍ଟର । ଆନ୍ଧ୍ର ଗ୍ରେହାଉଣ୍ଡ ଗୁଳିରେ ୩ ଟପ୍ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଟପ୍ ମାଓନେତା ଉଦୟ ଓରଫ୍ ଗଜରାଲା ରବିର ମୃତ୍ୟୁ ହୋଇଛି । ଚେଲାପତିଙ୍କ ସ୍ତ୍ରୀ ତଥା ମାଓନେତ୍ରୀ ଅରୁଣା ମଧ୍ୟ ଜୀବନ ଯାଇଛି । ଏହା ସହ ଉଦୟର ଅଙ୍ଗରକ୍ଷୀ ଅଞ୍ଜୁର ମୃତ୍ୟୁ ହୋଇଛି ।