Odia News Portal

ରଜର ଆଗମନରେ ଏବେ ଉତ୍ସବମୁଖର ଗାଁ ଠାରୁ ସହର

ଆଜି ସଜବାଜ, କାଲି ପହିଲି ରଜ। ରଜର ଆଗମନରେ ଏବେ ଉତ୍ସବମୁଖର ହୋଇଉଠିଛି ଗାଁ ଠାରୁ ସହର। ଘରେ ଘରେ ପିଠାପଣା ପ୍ରସ୍ତୁତି ଚାଲିଥିବା ବେଳେ, ଗାଁ ଦାଣ୍ଡରେ ଦୋଳି ବନ୍ଧା ସରିବାକୁ ବସିଛି। ଆଉ କେବଳ କିଛି ଘଣ୍ଟାର ଅପେକ୍ଷା, ତା’ପରେ ଆରମ୍ଭ ହେବ ଓଡ଼ିଆଙ୍କ ଗଣପର୍ବ ରଜ। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଅଳତି ଓ ବେଲସୁନ୍ଦରୀ ଗାଁରେ ଏବେ ରଜ ପ୍ରସ୍ତୁତି ଚରମ ସୀମାରେ ପହଞ୍ଚିଛି। ଢିଙ୍କିଶାଳରେ ବୋହୂମାନଙ୍କ ଭିଡ଼ ଜମିଛି। କିଏ ଢିଙ୍କି କୁଟୁଛି, ତ ଆଉ କିଏ ଚାଉଳ ଚୂନା କରୁଛି। ଆରିସା, କାକରା, ମଣ୍ଡା ଓ ପୋଡ଼ପିଠା ଭଳି ପାରମ୍ପରିକ ପିଠା ପ୍ରସ୍ତୁତିରେ ସମସ୍ତେ ବ୍ୟସ୍ତ।

କେବଳ କେନ୍ଦୁଝର ନୁହେଁ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ସମେତ ବିଭିନ୍ନ ଅଞ୍ଚଳରେ ମଧ୍ୟ ରଜର ମହକ ଏବେଠାରୁ ଅନୁଭବ କରାଯାଉଛି। ଗାଁ ଗାଁରେ ରଜ ଦୋଳି ପ୍ରସ୍ତୁତ ହୋଇସାରିଛି। ଯୁବତୀ ଓ ମହିଳାମାନେ ହାତରେ ମେହେନ୍ଦି ଏବଂ ପାଦରେ ଅଳତା ଲଗାଇ ସଜେଇ ହୋଇଛନ୍ତି। ସମସ୍ତଙ୍କ ଆଶା, ଏବର୍ଷର ରଜ ହେବ ଆହୁରି ରଙ୍ଗୀନ ଓ ସ୍ମରଣୀୟ।

ରଜ କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଆଙ୍କ ସଂସ୍କୃତି, ପରମ୍ପରା ଓ ଆନନ୍ଦର ପରିଚୟ। ସଜବାଜରୁ ଆରମ୍ଭ ହୋଇ ପହିଲି ରଜ, ରଜ ସଂକ୍ରାନ୍ତି, ଭୂଦାହ ଏବଂ ଶେଷରେ ବସୁମତି ସ୍ନାନ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଚାଲିଥାଏ ଏହି ଉତ୍ସବ। ସଜବାଜ, ଖିଆପିଆ, ବୁଲାବୁଲି, ଦୋଳି ଖେଳ ଏବଂ ନୃତ୍ୟଗୀତର ଆସର ମଧ୍ୟରେ ବିତିଥାଏ ଏହି ଖୁସିର ମୁହୂର୍ତ୍ତ।

ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଛୋଟ ଛୋଟ ପିଲା ପର୍ଯ୍ୟନ୍ତ, ସମସ୍ତେ ରଜର ରଙ୍ଗରେ ରଙ୍ଗାୟିତ ହୋଇସାରିଛନ୍ତି। ତେବେ ରାତି ପାହିଲେ ପହିଲି ରଜ। ଆଉ ତା’ ସହ ଆରମ୍ଭ ହେବ ଓଡ଼ିଆଙ୍କ ଆନନ୍ଦ, ଉଲ୍ଲାସ ଓ ପରମ୍ପରାର ମହାପର୍ବ ରଜ।