ଭାରତୀୟ ବାୟୁସେନାର ଏକ ଏଏନ-୩୨ ପରିବହନ ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଖଣ୍ଡ ହୋଇଯାଇଛି। ଏହି ଭୟାବହ ଦୁର୍ଘଟଣାରେ ବାୟୁସେନାର ୫ ଜଣ ସାହସୀ ଯବାନ ସହିଦ ହୋଇଥିବା ବେଳେ କୋ-ପାଇଲଟ ଗୁରୁତର ଆହତ ଅବସ୍ଥାରେ ବଞ୍ଚିଯାଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ସୂଚନା ଅନୁଯାୟୀ, ବିମାନଟି ଅରୁଣାଚଳ ପ୍ରଦେଶରୁ ଜୋରହାଟ ଅଭିମୁଖେ ଆସୁଥିଲା। ଶନିବାର ଜୋରହାଟ ବାୟୁସେନା ଘାଟିରେ ଅବତରଣ କରୁଥିବା ସମୟରେ ହଠାତ୍ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣା ପରେ ଏୟାରବେସ୍ରେ ତୁରନ୍ତ ଉଦ୍ଧାର ଓ ରାହାତ କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ଭାରତୀୟ ବାୟୁସେନା ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ, ଏହି ଦୁର୍ଘଟଣାରେ ସ୍କ୍ୱାଡ୍ରନ୍ ଲିଡର ପ୍ରଶାନ୍ତ ସିଂହ, ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶୁଭମ କୁମାର, ସର୍ଜେଣ୍ଟ ଜିତେନ୍ଦ୍ର ଶର୍ମା, ଅଗ୍ନିବୀର ବାୟୁ ଖେମାରାମ କୁମାୱତ ଓ ଅଗ୍ନିବୀର ବାୟୁ ଦାନିଶ ଆଲମ କର୍ତ୍ତବ୍ୟ ପାଳନ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି।ବାୟୁସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଶୋକ ପ୍ରକାଶ କରି କହିଛି ଯେ, ଏହି ଅପୂରଣୀୟ କ୍ଷତି ପାଇଁ ସେମାନେ ଗଭୀର ଭାବେ ମର୍ମାହତ। ସହିଦ ଯବାନମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଏହି କଠିନ ସମୟରେ ସେମାନଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଥିବା କଥା କହିଛି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ବିମାନଟି ଅବତରଣ ପ୍ରକ୍ରିୟାରେ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ପାଇଁ କୋର୍ଟ ଅଫ୍ ଇନକ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଏଏନ-୩୨ ବିମାନ ଭାରତୀୟ ସାମରିକ ବାହିନୀ ପାଇଁ ଲଜିଷ୍ଟିକ୍ସ, ଅସ୍ତ୍ରଶସ୍ତ୍ର, ଉପକରଣ ଓ ଜରୁରୀ ସାମଗ୍ରୀ ପରିବହନରେ ବ୍ୟବହୃତ ହୋଇଥାଏ। ଏହି ଦୁର୍ଘଟଣା ସମଗ୍ର ଦେଶକୁ ଶୋକାକୁଳ କରିଦେଇଛି।
