Odia News Portal

ଲାଇନଚ୍ୟୁତ ହେଲା ଉଜ୍ଜୟିନୀ ଏକ୍ସପ୍ରେସ, ଭୟଭୀତ ଯାତ୍ରୀ

ଋଷିକେଶରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯୋଗ ନଗରୀର ଋଷିକେଶ ରେଳ ଷ୍ଟେସନ ନିକଟରେ ଥିବା ଖଣ୍ଡ ଗାଁ ଅଞ୍ଚଳରେ ଉଜ୍ଜୟିନୀ ଏକ୍ସପ୍ରେସର ୩ଟି କୋଚ୍ ଲାଇନଚ୍ୟୁତ ହୋଇଛି । ଏହି ଘଟଣାଟି ସୋମବାର ରାତି ପ୍ରାୟ ୯ ଟା ୩୦ ମିନିଟରେ ହୋଇଥିବା ଜଣାପଡିଛି । ସୌଭାଗ୍ୟବଶତଃ ଦୁର୍ଘଟଣା ସମୟରେ କୌଣସି ଯାତ୍ରୀ ଟ୍ରେନରେ ନଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ନିୟମିତ ରକ୍ଷଣାବେକ୍ଷଣା ସମୟରେ ଟ୍ରେନର ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣା ପରେ ଟ୍ରାକରେ ଭିଡ଼ ଜମା ହୋଇଥିଲା । ଏବେ ଟ୍ରେନର ଗତିବିଧିକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏଥିସହ ଦୁର୍ଘଟଣାର ଅଢେଇ ଘଣ୍ଟା ପର୍ଯ୍ୟନ୍ତ କୌଣସି ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ  ପହଞ୍ଚିନଥିଲେ ବୋଲି ଅଭିଯୋଗ ମଧ୍ୟ ହୋଇଛି । ରେଳ ବିଭାଗ ଏବେ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗତକାଲି ବିହାରର ଏକ ରୋହତାସ ଜିଲ୍ଲାର ସାସାରାମ ରେଳ ଷ୍ଟେସନ୍ ରେ ସାସାରାମ-ପାଟନା ପାସେଞ୍ଜର ରେଳ ଷ୍ଟେସନରେ ଅଟକି ରହିଥିବା ବେଳେ ହଠାତ୍ ନିଆଁ ଲଗିଯାଇଥିଲା । ଘଟଣାର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଘଟଣାରେ କେହି ମୃତାହତ ହୋଇନଥିଲେ ।