Odia News Portal

କେନ୍ଦୁଝରରେ ଅପରେସନ ବୈତରଣୀ: 27 ଲକ୍ଷ ଟଙ୍କା ଜବତ, 10 ଜଣ ଅଟକ

ବେଆଇନ ଖଣି ଓ ଚୋରାଚାଲାଣ ରୋକିବାକୁ କେନ୍ଦୁଝର ପୋଲିସର ବଡ ପଦକ୍ଷେପ । ଜିଲ୍ଲାର ଛୋଟ ବଡ ବେଆଇନ ଖଣି ଉପରେ ଅତର୍କିତ ଚଢାଉ କରିଛି ପୋଲିସ । ପାଖାପାଖି 12ଟି ସ୍ଥାନରେ ଚଢାଉ କରି 10 ଜଣଙ୍କୁ ଅଟକ ରଖିଛି ପୋଲିସ ।କେନ୍ଦୁଝରରେ ‘ଅପରେସନ ବୈତରଣୀ’ପୋଲିସ ବାଲି ମାଫିଆଙ୍କ ବିରୋଧରେ ଅପରେସନ ବୈତରଣୀ ଲଞ୍ଚ୍‌ କରିଛି । ଏହି ଅପରେସନ ଜରିଆରେ ଆନନ୍ଦପୁର, ଘସିପୁରା, ନନ୍ଦିପଡା ଓ ଘଟଗାଁ ଥାନା ଅଞ୍ଚଳରେ ପୋଲିସ ଚଢାଉ କରିଥିବା କେନ୍ଦୁଝର ଏସପି କୁଶଲକର ନୀତିନ ଦାଗୁଡୁ ସୂଚନା ଦେଇଛନ୍ତି ।ଚଢାଉ ବେଳେ ପୋଲିସ 27 ଲକ୍ଷ ନଗଦ ଟଙ୍କା ଜବତ କରିଛି । ବେଆଇନ ବାଲି ଖନନ, ନକଲି ଟ୍ରାଞ୍ଜିଟ୍ ପାସ୍, ନକଲି ବ୍ୟାଙ୍କ ଆକାଉଣ୍ଟ ଏବଂ ଆର୍ଥିକ କାରବାରରୁ ଏହି ଟଙ୍କା ମିଳିଥିବା ସନ୍ଦେହ କରାଯାଉଛି। ସେହିପରି ବେଆଇନ ଖଣି କାରବାରରେ 30ଟି ଗାଡି ବ୍ୟବହୃତ ହୋଇଥିବା ଏସପି କହିଛନ୍ତି । ପୋଲିସ ଡକ୍ୟୁମେଣ୍ଟ ଯାଞ୍ଚ, ଆର୍ଥିକ କାରବାର ଏବଂ ଅଧିକ ତଦନ୍ତ କରି ଜେରା ଜାରି ରଖିଛି । ସମଗ୍ର ଜିଲ୍ଲାରେ ବେଆଇନ ବାଲି ଖନନ ବିରୋଧରେ କେନ୍ଦୁଝର ପୋଲିସ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଏସପି କହିଛନ୍ତି ।ନିକଟରେ ବାଲେଶ୍ୱର ଖଇରା ଥାନା ଅଞ୍ଚଳରେ କନିଷ୍ଠ ଖଣି ଅଧିକାରୀ ପାଟ୍ରୋଲିଂ କରୁଥିବା ବେଳେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏପରିକି ଅଧିକାରୀଙ୍କ ଗାଡି ଉପରେ ଟେକା ପଥର ମାଡ଼ ସହିତ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଏନେଇ କନିଷ୍ଠ ଖଣି ଅଧିକାରୀଙ୍କ ଖଇରା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଖଇରା ପୋଲିସ ବିଭିନ୍ନ ଅଂଚଳରୁ ୬ ଜଣଙ୍କୁ ଗିରଫ କରିବା ସହିତ 5ଟି ବାଇକ ଓ 2ଟି କାର୍ ଜବତ କରିଥିଲା ।ସେହିପରି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ହରିପୁର ଗାଁ ବେଆଇନ ପଥର ଖଣି ଚାଲାଣକୁ ନେଇ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଶତ୍ରୁତାରେ ଦୁଇ ଜଣ ଯୁବକ ଗୁରୁତର ହୋଇଥିଲେ । ବେଆଇନ ମୋରମ ଖଣିରେ ଜେସିବି (JCB) ମେସିନ ପୋଡ଼ି ଘଟଣାର ପ୍ରତିଶୋଧ ନେବା ପାଇଁ ସଶସ୍ତ୍ର ଆକ୍ରମଣ କରାଯାଇଥିଲା।