Odia News Portal

ସାବଧାନ କୋଭିଡ୍ ନିୟମ ଉଲ୍ଲଙ୍ଘନ ପଡ଼ିବ ମହଙ୍ଗା

ନିୟମ ଉଲ୍ଲଙ୍ଘନ କରି ୧୬ ଗିରଫ, ୭୬୩ଟି ଗାଡ଼ି ଜବତ ଓ ୨୩ ଲକ୍ଷ ଜରିମାନା ଆଦାୟ

ଭୁବନେଶ୍ୱର: କୋଭିଡ୍ ମହାମାରୀର ଦ୍ୱିତୀୟ ସଂକ୍ରମଣର ସମୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି କରିଛନ୍ତି । ପୋଲିସ ପ୍ରସାଶନ ମଧ୍ୟ କୋଭିଡ ୧୯ ଆଇନର ପାଳନ ନେଇ ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଗତକାଲିଠାରୁ ଏହି ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୩ ତାରିଖ ସକାଳୁ ୨୪ ତାରିଖ ସକାଳ ମଧ୍ୟରେ କୋଭିଡ ଆଇନ ଉଲ୍ଲଙ୍ଘନ ନେଇ ମାମଲା ରୁଜୁ ହୋଇଥିବା ସମୟରେ ୧୬ ଜଣଙ୍କୁ ଗିରଫ କରାଯାଇଛି ଓ ୭୬୩ଟି ଗାଡ଼ି ଜବତ କରାଯାଇଛି । ସେହିଭଳି ୨୨,୫୮,୧୦୦( ୨୨ ଲକ୍ଷ ୫୮ ହଜାର ୧୦୦ ଟଙ୍କା) ଜରିମାନା ମଧ୍ୟ ଆଦାୟ କରାଯାଇଛି ।

ଅନ୍ୟପକ୍ଷେ କରୋନା ନେଇ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର । ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାଘରରେ ୨୦୦ ଲୋକଙ୍କୁ ଅନୁମତି ଦିଆଯାଇଛି । ପୂର୍ବରୁ ୫୦୦ ଲୋକଙ୍କୁ ଅନୁମତି ଥିଲା ।ସେହିଭଳି ଅନ୍ତିମ ସଂସ୍କାରରେ ମାତ୍ର ୫୦ ଜଣଙ୍କୁ ଅନୁମତି ଦିଆଯାଇଛି । ନୂଆ କଟକଣା ଆସନ୍ତା ୨୬ ତାରିଖରୁ ଲାଗୁହେବ । ବିବାହ ଉତ୍ସବରେ ସମସ୍ତେ ମାସ୍କ ପିନ୍ଧି ଯୋଗଦେବାକୁ କୁହାଯାଇଛି । ଯେଉଁମାନେ ମାସ୍କ ପିନ୍ଧି ନଥିବେ ଆୟୋଜକ ସେମାନଙ୍କୁ ଯୋଗାଇବେ ବୋଲି ନିର୍ଦ୍ଦେଶ ରହିଛି । ତେବେ ବିବାହ ପାଇଁ ଲୋକାଲ୍‌ ପୋଲିସଠୁ ଅନୁମତି ନେବାକୁ ପଡିବ । ବିବାହ ହେଲେ ମଧ୍ୟ ପ୍ରସେସନ ହେବ ନାହିଁ ବୋଲି ଗାଇଡଲାଇନରେ କୁହାଯାଇଛି । ଏଥିସହ ସର୍ବସାଧାରଣ ସ୍ଥାନରେ ପାନ, ଗୁଟଖା ଖାଇ ଛେପ ପକାଇବାକୁ ମନା କରାଯାଇଛି ।